ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ , ଚମ୍ପତ ରାୟଙ୍କ ଇସ୍ତଫା ଉପରେ ହୋଇପାରେ ନିଷ୍ପତ୍ତି

ସୋମବାର ଶ୍ରୀରାମଙ୍କ ଅଯୋଧ୍ୟାସ୍ଥିତ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଦାନ ଅର୍ଥ ର କିଛି ଅଭିଯୋଗ ଆସିଥିବା ବେଳେ ଅର୍ଥର କଥିତ ଆତ୍ମସାତ୍‌ ଅଭିଯୋଗର ତଦନ୍ତ ଚାଲିଛି । ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଅନିଲ ମିଶ୍ରଙ୍କ ଦ୍ୱାରା ଦାଖଲ ହୋଇଥିବା ଇସ୍ତଫାର ଭବିଷ୍ୟତ ଏହି ବୈଠକର ପ୍ରମୁଖ ଆଲୋଚ୍ୟ ବିଷୟ ହେବ ବୋଲି ସୂତ୍ରରୁ ସୂଚନା ମିଳିଛି।ଏହି ବୈଠକ ଟ୍ରଷ୍ଟର ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସଙ୍କ ମଠ ‘ମଣି ରାମ ଛାଉଣୀ’ରେ ଅନୁଷ୍ଠିତ ହେବ। ଦାନ ଅର୍ଥ ଆତ୍ମସାତ୍‌ ଅଭିଯୋଗ ସାମ୍ନାକୁ ଆସିବା ପରେ ଏହା ଟ୍ରଷ୍ଟର ପ୍ରଥମ ବୈଠକ ହେବ।


ଏ ନେଇ ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି ସମସ୍ତ ନିୟମିତ ଏବଂ ପଦାଧିକାରୀ ସଦସ୍ୟଙ୍କୁ ବୈଠକରେ ଉପସ୍ଥିତ ରହିବାକୁ ଅନୁରୋଧ କରିଛନ୍ତି। ପଦାଧିକାରୀ ସଦସ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପ୍ରଶାନ୍ତ ଲୋଖଣ୍ଡେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୟ ପ୍ରସାଦ, ଅଯୋଧ୍ୟା ଜିଲ୍ଲାପାଳ ଶଶାଙ୍କ ତ୍ରିପାଠୀ ଏବଂ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପ୍ରଧାନ ସଚିବ ନୃପେନ୍ଦ୍ର ମିଶ୍ର ରହିଛନ୍ତି।
ଅନ୍ୟପକ୍ଷରେ, ନିକଟରେ ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଥିବା ୮୯ ବର୍ଷୀୟ ଟ୍ରଷ୍ଟ ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସ ମଧ୍ୟ ଏହି ବୈଠକରେ ଯୋଗଦେବାର ସମ୍ଭାବନା ଥିବା ସୂଚନା ମିଳିଛି। ବୈଠକରେ ଟ୍ରଷ୍ଟର ପ୍ରଶାସନିକ କାର୍ଯ୍ୟ, ଚାଲିଥିବା ତଦନ୍ତ ଏବଂ ଇସ୍ତଫା ପ୍ରସଙ୍ଗରେ ଆଲୋଚନା ଚାଲିଛି । ଟ୍ରଷ୍ଟର ସମସ୍ତ ସଦସ୍ୟ ଗୁରୁତ୍ୱ ପୁର୍ଣ ପଦକ୍ଷପ ନେବେବୋଲି ଚର୍ଚ୍ଚା ହେଉଛି ।