
ଶ୍ରୀକ୍ଷେତ୍ର ପୁରୀକୁ ମହାନଗର ନିଗମରେ ପରିଣତ କରିବା ପାଇଁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସହରର ସୀମା ବଢ଼ିବା ସହ ଏବେ ୯ଟି ପଞ୍ଚାୟତର ୩୪ଟି ରାଜସ୍ୱ ଗ୍ରାମକୁ ନୂତନ ଭାବେ ସାମିଲ କରାଯାଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୱାର୍ଡ ବିଭାଜନ ଓ ସୀମା ନିର୍ଦ୍ଧାରଣ ରିପୋର୍ଟ ସରକାରଙ୍କ ନିକଟକୁ ପଠାଯାଇଛି। ପୁରୀ ପୌରସଂସ୍ଥାରେ ଏବେ ୩୨ଟି ୱାର୍ଡ ରହିଛି। ଜନସଂଖ୍ୟା ବୃଦ୍ଧି ହେତୁ ପୁରୁଣା ୩୨ଟି ୱାର୍ଡ ମଧ୍ୟରୁ ପ୍ରାୟ ୨୦ଟି ୱାର୍ଡକୁ ବିଭାଜନ କରାଯିବ। ସଦର ବ୍ଲକର ୯ଟି ପଞ୍ଚାୟତରୁ ଆସିଥିବା ଅଞ୍ଚଳକୁ ନେଇ ପ୍ରାୟ ୯୨ଟି ନୂତନ ୱାର୍ଡର ସୀମା ଚିହ୍ନଟ ପ୍ରକ୍ରିୟା ଚାଲିଛି।

୨୦୧୧ ଜନଗଣନା ଅନୁସାରେ ପୁରୀ ସହରର ଜନସଂଖ୍ୟା ପ୍ରାୟ ୨ ଲକ୍ଷ ଥିବାବେଳେ, ୨୦୨୬ ବେଳକୁ ଏହା ୩ ଗୁଣରୁ ଅଧିକ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଜନସଂଖ୍ୟାକୁ ଉନ୍ନତ ନାଗରିକ ସେବା ଯୋଗାଇବା ପାଇଁ ମହାନଗର ନିଗମ ଗଠନ ଏବେ ଜରୁରୀ ହୋଇପଡ଼ିଛି। ସୀମା ନିର୍ଦ୍ଧାରଣ ସମୟରେ କିଛି ଭୌଗୋଳିକ ଅସୁବିଧା ସାମ୍ନାକୁ ଆସିଛି। ମଙ୍ଗଳା ନଦୀର ଆରପଟେ ଥିବା ସମଙ୍ଗ ପଞ୍ଚାୟତର କିଛି ଗାଁ ଏବଂ ଜାତୀୟ ରାଜପଥର ଦୁଇ ପାର୍ଶ୍ୱରେ ଥିବା ଗଦାଧରପାଟଣା, ନରସିଂହବଲ୍ଲଭ ଭଳି ଅଞ୍ଚଳକୁ ସଜାଡ଼ିବା ପାଇଁ ପ୍ରଶାସନ ପୁଣି ଥରେ କସରତ କରିପାରେ। ଓଡ଼ିଶା ମହାନଗର ନିଗମ ଆଇନ ଅନୁଯାୟୀ, ୱାର୍ଡ ସଂରକ୍ଷଣ ତାଲିକା ଚୂଡ଼ାନ୍ତ ହେବା ପରେ ରାଜ୍ୟ ନିର୍ବାଚନ କମିଶନ ପୁରୀ ମହାନଗର ନିଗମ ପାଇଁ ନିର୍ବାଚନ ତାରିଖ ଘୋଷଣା କରିବେ। ସାମିଲ ହେବାକୁ ଥିବା ଅଞ୍ଚଳବାସୀ ସହରାଞ୍ଚଳ ସୁବିଧା ପାଇବାକୁ ଆଶା ରଖୁଥିବା ବେଳେ, ମୌଳିକ ଭିତ୍ତିଭୂମିର ବିକାଶ କେବେ ହେବ ତାହା ଏବେ ବଡ଼ ପ୍ରଶ୍ନ?