ରତ୍ନଭଣ୍ଡାର ବୈଠକ, ଅଳଙ୍କାର ଗଣନା ପାଇଁ ମୁଖ୍ୟ ଆଲୋଚନା

ଶ୍ରୀମନ୍ଦିରର ରତ୍ନଭଣ୍ଡାର ସଂପର୍କିତ ମାମଲାରେ ଆଗାମୀ ୨୭ ତାରିଖରେ ହେବାକୁ ଥିବା ବୈଠକକୁ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର ହୋଇଛି। ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିବା ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ମରାମତି କାର୍ଯ୍ୟ ସମାପ୍ତ ହୋଇଥିବା ସହ ଭିତରେ ସଞ୍ଚିତ ସମସ୍ତ ମୂଲ୍ୟବାନ ଅଳଙ୍କାରକୁ ପୁନଃ ସୁରକ୍ଷିତ ଭାବେ ସ୍ଥାପିତ କରାଯାଇଛି।

ପ୍ରଶାସନିକ ସୂତ୍ର ଅନୁଯାୟୀ, ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରତ୍ନଭଣ୍ଡାରରେ ରହିଥିବା ସୁନା, ଚାନ୍ଦି ଓ ଅନ୍ୟାନ୍ୟ ମୂଲ୍ୟବାନ ଅଳଙ୍କାରର ଗଣତି–ମଣତି ପ୍ରକ୍ରିୟା କେମିତି କରାଯିବ, ସେଥିପାଇଁ ଏକ ସ୍ପଷ୍ଟ ଓ ପାରଦର୍ଶୀ SOP (Standard Operating Procedure) ପ୍ରସ୍ତୁତ କରିବା। ଗଣନା ସମୟରେ କେଉଁ କେଉଁ ସେବାୟତ ଓ ଅଧିକାରୀ ଉପସ୍ଥିତ ରହିବେ, କେମିତି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ଏବଂ କେଉଁ ନିୟମ–ନୀତିକୁ ଅନୁସରଣ କରାଯିବ, ସେସବୁ ଉପରେ ଏହି ବୈଠକରେ ଆଲୋଚନା ହେବ।

ରତ୍ନଭଣ୍ଡାର ତଦନ୍ତ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ସମଗ୍ର ପ୍ରକ୍ରିୟା ପରମ୍ପରା, ଶାସ୍ତ୍ର ଓ ଶ୍ରୀମନ୍ଦିର ନୀତିନିୟମ ମାନି କରାଯିବ। ଏହି ସମୟରେ ଦର୍ଶନା ଅଭିଳାଶେ ଆସିଥିବା ଭକ୍ତ ମାନଙ୍କୁ ଦର୍ଶନ ପାଇଁ ଅସୁବିଧାର ସମୁଖୀନ ହେବାକୁ ପଡିବ। ସେଥିପାଇଁ ଜଗନ୍ନାଥ ପ୍ରେମୀ ଓ ଭକ୍ତମାନଙ୍କୁ ଧୈର୍ଯ୍ୟ ଓ ସହଯୋଗ ରଖିବାକୁ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବା ପରେ ସୁରକ୍ଷା ଦୃଷ୍ଟିରୁ ଅଳଙ୍କାରଗୁଡିକୁ ସଂରକ୍ଷିତ ଭାବେ ରଖାଯାଇଥିଲା। ବର୍ତ୍ତମାନ ମରାମତି ସମାପ୍ତ ହେବା ସହ ସମସ୍ତ ଅଳଙ୍କାର ପୁନଃ ରତ୍ନଭଣ୍ଡାରରେ ରଖାଯାଇଛି।

୨୭ ତାରିଖର ବୈଠକ ପରେ ଗଣତି–ମଣତି ପ୍ରକ୍ରିୟା କେବେ ଆରମ୍ଭ ହେବ ଓ ତାହାର ରୂପରେଖା କ’ଣ ରହିବ, ସେନେଇ ସ୍ପଷ୍ଟ ନିଷ୍ପତ୍ତି ଆସିବ ବୋଲି ଆଶା କରାଯାଉଛି। ଏହାକୁ ନେଇ ସେବାୟତ, ପ୍ରଶାସନ ଓ ଭକ୍ତମହଳରେ ଉତ୍ସୁକତା ବଢ଼ିଛି।