ଯୋଡ଼ା ଇଷ୍ଟ ଆଇରନ ଖଣିରେ ଦୁର୍ଘଟଣା

ଟାଟା ଷ୍ଟିଲର ଯୋଡ଼ା ଇଷ୍ଟ ଆଇରନ ଖଣିରେ ଦୁର୍ଘଟଣା । କ୍ରସିଂ ଏବଂ ସ୍କ୍ରିନିଂ ପ୍ଲାଣ୍ଟର ସ୍କ୍ରିନର ଡିସଚାର୍ଜ ଚୁଟ୍ ଅଞ୍ଚଳରେ ଜାମ୍ ସଫା କାର୍ଯ୍ୟ କରୁଥିବା ବେଳେ ଘଟିଥିଲା ଅଘଟଣ । ଅଘଟଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି | ମୃତ ଶ୍ରମିକ ହେଉଛନ୍ତି ଝାଡ଼ଖଣ୍ଡର ସୂରଜ୍ ମାହତୋ । ସୁରଜଙ୍କ ମୁଣ୍ଡରେ ଜୋରରେ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ସେ କମ୍ପାନୀରେ ନିୟୋଜିତ ଏକ ଠିକା ସଂସ୍ଥା ଅଧୀନରେ କାମ କରୁଥିଲେ ।

ସୂଚନାଅନୁସାରେ, ଟାଟା ଷ୍ଟିଲର ଯୋଡ଼ା ଇଷ୍ଟ ଲୌହ ଖଣିରେ ଗତ ମାସରେ ଏପରି ଦୁର୍ଘଟଣାରେ ଜଣେ ଲୋଡର ଅପରେଟରଙ୍କ ମୃତ୍ୟୁ ହୋଇଥିଲା । ମାତ୍ରାଧିକ କାର୍ଯ୍ୟଚାପରେ ସେ ଦୁର୍ଘଟଣାରେ ଶିକାର ହୋଇଥିବାବେଳେ ତାଙ୍କ ମୃତ୍ୟୁ ହେବା ନେଇ ସେତେବେଳେ କ୍ଷତିପୂରଣ ଦାବୀରେ ଚମ୍ପୁଆ ବ୍ଳକ ପତଳା ଗ୍ରାମରେ ମୃତକଙ୍କ ପରିବାର ଶ୍ରମିକଙ୍କ ମୃତଦେହ ଗ୍ରହଣ କରିନଥିଲେ । ଶ୍ରମିକଙ୍କ ମୃତ ଦେହ ଦୀର୍ଘ ୪୮ ଘଣ୍ଟାରୁ ଅଧିକ ସମୟ ପଡି ରହିଥିଲା |

ବାରମ୍ବାର ଏହି କମ୍ପାନୀ ଅଧିନରେ ସଂପୃକ୍ତ ଠିକା ସଂସ୍ଥାରେ କାର୍ଯ୍ୟକରୁଥିବା ଶ୍ରମିକଙ୍କ ମୃତ୍ୟୁ ଘଟୁଥିବାବେଳେ ପ୍ରଶାସନ କିମ୍ଵା ଶ୍ରମ ବିଭାଗ ଉକ୍ତ ଦିଗ ପ୍ରତି ଗୁରୁତ୍ଵ ଦେଉ ନ ଥିବାରୁ ଆଗକୁ ଏହି କମ୍ପାନୀରେ ଆଉ କେତେ ଦୁର୍ଘଟଣା ଘଟିବ ତାହା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏହାକୁ ନେଇ ଚମ୍ପୁଆ ସହକାରୀ ଶ୍ରମ ଅଧିକାରୀ ବୃନ୍ଦାବନ ଜୁଆଁଗଂଙ୍କୁ ଯୋଗାଯୋଗ କରିବାରୁ ସେ କ୍ୟାମେରା ସାମ୍ନାରେ କିଛି କହି ନଥିଲେ |

ଏ ଘଟଣା ସଂପର୍କରେ ମୁଁ ଆପଣଙ୍କ ଠାରୁ ଏବେ ଜାଣିଲି ଏନେଇ ତଦନ୍ତ ପରେ କଣ ହୋଇଛି ଜଣାଇବି ବୋଲି କହିଛନ୍ତି । ଅନ୍ୟ ଦିଗରେ ଦୁର୍ଘଟଣାର ୨୪ ଘଣ୍ଟା ପରେ ମଧ୍ୟ ଶ୍ରମ ଅଧିକାରୀଙ୍କ ନିକଟରେ ସୂଚନା ନ ରହିବା ବିଭାଗ ଓ କମ୍ପାନୀର କାର୍ଯ୍ୟ କାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସୁରଜଙ୍କ ମୃତ୍ୟୁକୁ ନେଇ ଟାଟାଷ୍ଟିଲ କତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।