ମୟୂରଭଞ୍ଜ ଜିଲ୍ଲାର ଚାନ୍ଦୁଆ ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ହଷ୍ଟେଲରେ ରହୁଥିବା ପ୍ରାୟ ୪୦ ଜଣ ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ତୁରନ୍ତ କୁଳିଅଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟ ଅସୁସ୍ଥ ଛାତ୍ରୀମାନଙ୍କୁ ସ୍କୁଲ ପରିସରରେ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।
ସୂଚନା ଅନୁସାରେ, ଗତ କିଛି ଦିନ ଧରି ହଷ୍ଟେଲର ଅନେକ ଛାତ୍ରୀ ପେଟ ଯନ୍ତ୍ରଣା, ଝାଡ଼ା ଓ ବାନ୍ତି ଭଳି ସମସ୍ୟାରେ ପୀଡ଼ିତ ଥିଲେ। ପ୍ରଥମେ ଏହାକୁ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ଭାବି ଚିକିତ୍ସା କରାଯାଉଥିଲେ ମଧ୍ୟ ପରେ ଅଧିକ ସଂଖ୍ୟକ ଛାତ୍ରୀ ଅସୁସ୍ଥ ହେବାରୁ ପରିସ୍ଥିତି ଗମ୍ଭୀର ରୂପ ନେଇଥିଲା।ପ୍ରାଥମିକ ଭାବେ ପିଇବା ପାଣିରୁ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଦୂଷିତ ପାଣି ପିଇବା ଫଳରେ ଛାତ୍ରୀମାନେ ଏହି ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଥିବା ନେଇ ଆଲୋଚନା ହେଉଛି। ତେବେ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପାଣିର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି।ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ଏକ ଡାକ୍ତରୀ ଦଳ ବିଦ୍ୟାଳୟରେ ପହଞ୍ଚି ଅସୁସ୍ଥ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ଚିକିତ୍ସା ଆରମ୍ଭ କରିଛନ୍ତି। ଗୁରୁତର ଛାତ୍ରୀମାନଙ୍କ ଚିକିତ୍ସା ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶେଷ ନଜର ରଖାଯାଇଛି।ଏହି ଘଟଣା ପରେ ଅଭିଭାବକମାନଙ୍କ ମଧ୍ୟରେ ଚିନ୍ତା ଓ ଆତଙ୍କ ଦେଖାଦେଇଛି। ବିଦ୍ୟାଳୟରେ ପିଇବା ପାଣିର ଗୁଣବତ୍ତା, ପରିମଳ ବ୍ୟବସ୍ଥା ଏବଂ ଖାଦ୍ୟର ମାନ ଯାଞ୍ଚ କରିବାକୁ ସ୍ଥାନୀୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଘଟଣାର ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।