ଇରାନର ନୂଆ ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତବା ଖେମିନିଙ୍କୁ ନେଇ ବିଶ୍ୱ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ମୋଜତବା ଜୀବିତ ନା ମୃତ, ସେ ନେଇ ଚାଲିଥିବା କଳ୍ପନା ଜଳ୍ପନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି। ଫକ୍ସ ନ୍ୟୁଜ୍ ରେଡିଓକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ, ମୋଜତବା ଜୀବିତ ଥାଇପାରନ୍ତି, କିନ୍ତୁ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ଗତ ଫେବ୍ରୁଆରି ୨୮ ତାରିଖରେ ଆମେରିକା ପକ୍ଷରୁ ହୋଇଥିବା ଆକ୍ରମଣରେ ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ସମୟରେ ମୋଜତବା ମଧ୍ୟ ଗୁରୁତର ହୋଇଥିବା କୁହାଯାଉଛି। ବ୍ରିଟିଶ ଖବରକାଗଜ ‘ଦ ସନ୍’ର ରିପୋର୍ଟ ଅନୁଯାୟୀ, ୫୬ ବର୍ଷୀୟ ଏହି ଧର୍ମଗୁରୁ ବର୍ତ୍ତମାନ କୋମାରେ ଅଛନ୍ତି।

ଆକ୍ରମଣରେ ତାଙ୍କର ଗୋଟିଏ କିମ୍ବା ଦୁଇଟି ଯାକ ଗୋଡ଼ କାଟିବାକୁ ପଡ଼ିଥିବା ବେଳେ ପାକସ୍ଥଳୀ ଓ ଯକୃତ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ତେହେରାନର ସିନା ବିଶ୍ବବିଦ୍ୟାଳୟ ହସ୍ପିଟାଲର ଏକ ନିର୍ଦ୍ଦିଷ୍ଟ ଅଂଶକୁ ସିଲ୍ କରାଯାଇ ତାଙ୍କର ଚିକିତ୍ସା କରାଯାଉଛି। ସେଠାକୁ ଇରାନ ରାଷ୍ଟ୍ରପତିଙ୍କ ବ୍ୟତୀତ ଅନ୍ୟ କାହାରିକୁ ଯିବାକୁ ଅନୁମତି ନାହିଁ। ଅନ୍ୟପଟେ, ସାଇପ୍ରସରେ ଅବସ୍ଥାପିତ ଇରାନ ରାଷ୍ଟ୍ରଦୂତ ଆଲିରେଜା ସାଲାରିଆନ୍ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ମୋଜତବା ଆକ୍ରମଣରେ ଆହତ ହୋଇଛନ୍ତି ଏବଂ ତାଙ୍କ ହାତ ଓ ଗୋଡ଼ରେ ଶକ୍ତ ଆଘାତ ଲାଗିଛି। ମାର୍ଚ୍ଚ ୮ ତାରିଖରେ ମୋଜତବାଙ୍କୁ ସର୍ବୋଚ୍ଚ ନେତା ଘୋଷଣା କରାଯାଇଥିଲେ ହେଁ, ଆକ୍ରମଣ ପରଠାରୁ ସେ ସର୍ବସାଧାରଣରେ ଦେଖା ଦେଇନାହାନ୍ତି। ଏହି ଘଟଣା ଏବେ ଇରାନର ଶାସନ ବ୍ୟବସ୍ଥା ଓ ନେତୃତ୍ୱ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।