ମୁମ୍ୱାଇରେ ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡର ପୁନରାବୃତ୍ତି

ପ୍ରେମ ଓ ଲିଭଇନ ରିଲେସନର ପରିଣତି କଣ ଜଘନ୍ୟକାଣ୍ଡ? ଏମିତି ପ୍ରଶ୍ନ କରିବାର କାରଣ, ପୁଣି ମୁମ୍ବାଇରେ ଘଟିଛି ଲିଭଇନ ରିଲେସନରୁ ବିଭତ୍ସ ହତ୍ୟାକାଣ୍ଡ। ଏହି ହତ୍ୟାକାଣ୍ଡ ଦିଲ୍ଲୀର ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡର ବିଭତ୍ସତାକୁ ମଧ୍ୟ ପଛରେ ପକାଇଦେବ। ମଧ୍ୟ ବୟସ୍କ ପାଷାଣ୍ଡ ପ୍ରେମିକ ଖାଲି ପ୍ରେମିକାକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟିନି, ତା ପରେ ଖଣ୍ଡବିଖଣ୍ଡିତ ଅଂଶକୁ ପ୍ରେସର କୁକୁରରେ ସିଝାଇ ଗ୍ରାଇଣ୍ଡିଂ କରି ପ୍ରମାଣ ନଷ୍ଟ ପାଇଁ କରିଛି ଆପ୍ରାଣ ଚେଷ୍ଟା। କିନ୍ତୁ ଅପରାଧୀର ସତ ଚେଷ୍ଟା ସତ୍ତ୍ୱେ ତାକୁ ଧରିଛି ପୋଲିସ। ଆଉ ପୋଲିସ ଆଗରେ ସେ ବଖାଣିଛି ସୀମା ପାର ବର୍ବରତାର କାହାଣୀ।

ମୀରା ରୋଡରେ ଥିବା ଗୀତା ଆକାଶ ଦୀପ ବିଲ୍ଡିଂର ସପ୍ତମ ମହଲାର ରୁମ ନମ୍ବର ୭୦୪। ସେହି ଘରେ ରହୁଥିଲେ ୫୬ ବର୍ଷୀୟ ମନୋଜ ସାହାନି ଓ ୩୨ ବର୍ଷୀୟା ସରସ୍ୱତୀ ବୈଦ୍ୟ। ଗତ ୫ ବର୍ଷ ଧରି ବିନା ବିବାହରେ ଉଭୟ ଲିଭ-ଇନ୍ ରିଲେସନରେ ରହିଆସୁଥିଲେ। ସରସ୍ବତୀ ଜଣେ ଅନାଥ। ମନୋଜଙ୍କ ପରିବାର ବୋରିବଲିରେ ରହୁଥିବା ବେଳେ ମନୋଜ ଘରଠାରୁ ଦୂରରେ ରହୁଥିଲେ ଓ ବିବାହ କରି ନ ଥିଲେ। ସେ ଏକ କିରାନା ଦୋକାନରେ କାମ କରନ୍ତି। ସେହି ଦୋକାନରୁ ଉଭୟଙ୍କ ସାକ୍ଷାତ ଓ ପ୍ରେମ। କିନ୍ତୁ ସମୟ କ୍ରମେ ସେମାନଙ୍କ ପ୍ରେମରେ ପଡିଥିଲା ଫାଟ। ବିଭିନ୍ନ କଥାକୁ ନେଇ ହେଉଥିବା ପାଟିତୁଣ୍ଡ, ଝଗଡାଝାଣ୍ଟିରେ ଅତିଷ୍ଠ ହୋଇ ପଡିଥିଲା ଅଭିଯୁକ୍ତ ପ୍ରେମିକ, ଆଉ ପ୍ରେମିକା ସରସ୍ବତୀଙ୍କୁ ହତ୍ୟା କରିବାକୁ ପଛାଇ ନ ଥିଲା।
ଜୁନ ୪ ତାରିଖରେ ମନୋଜ ସରସ୍ବତୀଙ୍କୁ କରିଥିଲା ହତ୍ୟା । ଏହା ପରେ ପ୍ରମାଣ ନଷ୍ଟ କରିବାକୁ ଚଳାଇଥିଲା ଅଭିଯାନ। ଏକ ବଡ କଟର ମେସିନ ଆଣି ସରସ୍ୱତୀଙ୍କ ଶରୀରକୁ କାଟି ଖଣ୍ଡଖଣ୍ଡ କରି ଦେଇଥିଲା। ସେସବୁକୁ ସିଝାଇ କରୁଥିଲା ଗ୍ରାଇଣ୍ଡିଂ ଓ ପକାଇ ଦେଉଥିଲା ନାଳରେ । କିନ୍ତୁ ସେହି ଘରୁ ପ୍ରବଳ ଦୁର୍ଗନ୍ଧ ବାହାରିବାରୁ ପାଖ ପଡୋଶୀ ସୂଚନା ଦେଇଥିଲେ ପୋଲିସକୁ ।
ପୋଲିସ ରୋଷେଇ ଘରେ ପ୍ରେସର କୁକରରେ ସିଝାଯାଇଥିବା ମାଂସ ଖଣ୍ଡ ସବୁ ପାଇଥିଲା। କିନ୍ତୁ ସେହି ମାଂସ ଶରୀରର କେଉଁ ଅଂଶର ତାହା ଚିହ୍ନଟ କରିବା ପୋଲିସ ପାଇଁ ନ ଥିଲା ସମ୍ଭବ । ତେବେ କେବଳ ଦିଲ୍ଲୀର ଶ୍ରଦ୍ଧା ୱାଲକର ହତ୍ୟା ଓ ମୁମ୍ୱାଇର ସରସ୍ୱତୀ ହତ୍ୟା ଘଟଣା ନୁହେଁ ଏପରି ବହୁ ଘଟଣା ନିକଟ ଅତିତରେ ନଜରକୁ ଆସିଲାଣି। ଏମିତି ଲିଭଇନ ରିଲେସନ ପରେ ପ୍ରେମିକାକୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ପ୍ରେମିକାକୁ ଖଣ୍ଡ ଖଣ୍ଡ କାଟିବାକୁ ପଛାଉ ନାହାନ୍ତି ଏପରି ପିଶାଚମାନେ। ଏସବୁ ଘଟଣାକୁ ଦେଖି ପ୍ରଶ୍ନ ଉଠୁଛି, କାହିଁକି ଏପରି ସବୁ ଘଟଣା ଘଟୁଛି? ଏଥିପାଇଁ ଦାୟୀ କିଏ?

Leave a Reply

Your email address will not be published. Required fields are marked *