ମହାକାଶରୁ ଶତ୍ରୁ ଉପରେ ନଜର ରଖିବ ଭାରତ

ଘରୋଇ କ୍ଷେତ୍ରରେ ଭାରତର ବଡ଼ ସଫଳତା, କକ୍ଷପଥ ଗୁପ୍ତଚରୀ କ୍ଷମତାରେ ଐତିହାସିକ ପଦକ୍ଷେପ |

ମହାକାଶରୁ ଶତ୍ରୁ ଉପରେ ନଜର ରଖିବାର କ୍ଷମତା ଦିଗରେ ଭାରତ ଆଉ ଏକ ବଡ଼ ପଦକ୍ଷେପ ନେଇଛି | ଦେଶର ଘରୋଇ ମହାକାଶ କ୍ଷେତ୍ର ନିଜ କ୍ଷମତାକୁ ନୂତନ ସ୍ତରକୁ ନେଇଯାଉଥିବା ବେଳେ, ଅହମଦାବାଦସ୍ଥିତ ଆଜିଷ୍ଟାର ଏରୋସ୍ପେସ୍ ଭର୍ଟିକାଲ୍ ମାଧ୍ୟମରେ ପ୍ରଥମ ଥର ପାଇଁ ଭାରତର କୌଣସି ଘରୋଇ କମ୍ପାନୀ ଏକ ଉପଗ୍ରହରୁ କକ୍ଷପଥରେ ଥିବା ଅନ୍ୟ ବସ୍ତୁଗୁଡ଼ିକର ଫଟୋ ଉତ୍ତୋଳନ କରିବାର ସ୍ୱଦେଶୀ କ୍ଷମତା ସଫଳତାର ସହ ପ୍ରଦର୍ଶନ କରିଛି। ଏହି ସଫଳତାକୁ ଭାରତର ମହାକାଶ ପରିସ୍ଥିତିଗତ ସଚେତନତା ଓ କକ୍ଷପଥ ଗୁପ୍ତଚରୀ କ୍ଷମତା ସୁଦୃଢ଼ କରିବା ଦିଗରେ ଏକ ମାଇଲ୍‌ସ୍ଟୋନ୍ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି |

ଆଜିଷ୍ଟାର ଏହି ପ୍ରଦର୍ଶନ କେବଳ ଏକ ବୈଷୟିକ ସଫଳତା ନୁହେଁ, ବରଂ ଏହା ପ୍ରମାଣ କରୁଛି ଯେ ସମ୍ପୂର୍ଣ୍ଣ ଭାବରେ ଭାରତରେ ବିକଶିତ ସ୍ୱଦେଶୀ ଆଲଗୋରିଦମ, ଇଲେକ୍ଟ୍ରୋ ଅପ୍ଟିକାଲ୍ ସିଷ୍ଟମ ଓ ସାଟେଲାଇଟ୍ ଇଞ୍ଜିନିୟରିଂ ମାଧ୍ୟମରେ କକ୍ଷପଥରେ ଥିବା ବିଭିନ୍ନ ବସ୍ତୁକୁ ଟ୍ରାକ୍, ଚିହ୍ନଟ ଓ ନିରୀକ୍ଷଣ କରାଯାଇପାରିବ। ଏହି ପ୍ରଗତି ଭାରତର ରାଷ୍ଟ୍ରୀୟ ସୁରକ୍ଷା, ମହାକାଶ ସୁରକ୍ଷା ଓ ଆତ୍ମନିର୍ଭର ଭାରତ ଅଭିଯାନକୁ ଆଉ ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି।