ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧର ପ୍ରଭାବ ଏବେ ସୁଦୂର ଓଡ଼ିଶାର ହାଣ୍ଡିଶାଳରେ ଅନୁଭୂତ ହେଲାଣି। ବିଶ୍ୱ ବଜାରରେ ଗ୍ୟାସ୍ ଯୋଗାଣ ବାଧାପ୍ରାପ୍ତ ହେବା ଫଳରେ ଭାରତରେ ରନ୍ଧନ ଗ୍ୟାସର ଘୋର ଅଭାବ ଦେଖାଦେଇଛି। ଏହି ସଙ୍କଟ ଏବେ ସାଧାରଣ ପରିବାରଠୁ ନେଇ ହୋଟେଲ ଶିଳ୍ପ ପର୍ଯ୍ୟନ୍ତ ସବୁଠି ହାହାକାର ସୃଷ୍ଟି କରିଛି।

ଇସ୍ପାତ ସହର ରାଉରକେଲାରେ ହୋଟେଲ ଶିଳ୍ପ ଏବେ ସବୁଠାରୁ କଠିନ ସମୟ ଦେଇ ଗତି କରୁଛି। ଗ୍ୟାସ୍ ଅଭାବରୁ ଅନେକ ଛୋଟ ଦୋକାନ ବନ୍ଦ ହୋଇଗଲାଣି। ବଡ଼ ବଡ଼ ହୋଟେଲଗୁଡ଼ିକ ଅତି କଷ୍ଟେମଷ୍ଟେ କାମ ଚଳାଉଛନ୍ତି। ସ୍ଥିତି ଏପରି ହୋଇଛି ଯେ, ଅଧିକ ଗ୍ୟାସ୍ ଖର୍ଚ୍ଚ ହେଉଥିବା ଖାଦ୍ୟଗୁଡ଼ିକୁ ମେନ୍ୟୁରୁ ବାଦ୍ ଦିଆଗଲାଣି। ଯଦି ଶୀଘ୍ର ଗ୍ୟାସ୍ ଯୋଗାଣ ସ୍ୱାଭାବିକ ନହୁଏ, ତେବେ ସମ୍ପୂର୍ଣ୍ଣ ହୋଟେଲ ଶିଳ୍ପରେ ତାଲା ଝୁଲିବ ବୋଲି ମାଲିକମାନେ ଚେତାବନୀ ଦେଇଛନ୍ତି।
ସେହିପରି ଐତିହାସିକ ସହର କଟକରେ ମଧ୍ୟ ଗ୍ୟାସ୍ ସଙ୍କଟ ଚରମ ସୀମାରେ ପହଞ୍ଚିଛି। ହୋଟେଲଗୁଡ଼ିକ ପାଖରେ ଯାହା ବି ଗ୍ୟାସ୍ ମହଜୁଦ ଅଛି, ତାହା ଆଉ ଦିନେ କି ଦୁଇ ଦିନରେ ଶେଷ ହୋଇଯିବ। କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ହୋଟେଲ ବନ୍ଦ କରିବା ଛଡ଼ା ଅନ୍ୟ କୌଣସି ବାଟ ନାହିଁ ବୋଲି ହୋଟେଲ ମାଲିକ ସଂଘ କହିଛି।
ଓଡ଼ିଶାରେ ପ୍ରାୟ ୫୦,୦୦୦ରୁ ଅଧିକ କର୍ମଚାରୀ ହୋଟେଲ ଶିଳ୍ପ ଉପରେ ନିର୍ଭର କରି ନିଜ ପରିବାର ପ୍ରତିପୋଷଣ କରନ୍ତି। ଗ୍ୟାସ୍ ଅଭାବରୁ ହୋଟେଲ ବନ୍ଦ ହେଲେ ଏହି ହଜାର ହଜାର ଶ୍ରମିକ ଓ କର୍ମଚାରୀ ବେକାର ହୋଇଯିବା ଆଶଙ୍କା ଦେଖାଦେଇଛି।