ମଣ୍ଡି ଅବ୍ୟବସ୍ଥାରେ ହନ୍ତସନ୍ତ ଚାଷୀ

କେନ୍ଦ୍ରାପଡାର ରାଜନଗର ବ୍ଲକରେ ମିଲରଙ୍କ ମନମାନି ନେଇ ଅଭିଯୋଗ |

କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକରେ ମଣ୍ଡି ଅବ୍ୟବସ୍ଥା ଯୋଗୁଁ ଚାଷୀମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ମିଲରମାନଙ୍କ ମନମୁଖୀ କାର୍ଯ୍ୟକଳାପ ଓ ଧାନ ଉଠାଣିରେ ବିଳମ୍ବ ହେବାରୁ ମାସ ମାସ ଧରି ମଣ୍ଡିରେ ଚାଷୀଙ୍କ ଧାନ ପଡ଼ି ରହିଛି ବୋଲି ଅଭିଯୋଗ ହୋଇଛି। ଚାଷୀମାନେ ଟୋକନ ପାଇବା ପରେ ନିଜ ମୁଣ୍ଡ ଝାଳକୁ ତୁଣ୍ଡରେ ମାରି ଚାଷ କରିଥିବା ଧାନକୁ ମଣ୍ଡିକୁ ଆଣିଥିଲେ। ନିୟମ ଅନୁସାରେ ମିଲରମାନେ ଗାଡ଼ି ପଠାଇ ଧାନ ସଂଗ୍ରହ କରିବା କଥା ହେଲେ ଟାର୍ଗେଟ୍ ନାହିଁ ବୋଲି କହି ମଣ୍ଡିକୁ ଆସୁନାହାନ୍ତି। ଫଳରେ ଚାଷୀମାନେ ଖରା, ଶୀତ ଓ କାକର ମଧ୍ୟରେ ଦିନରାତି ଧାନକୁ ଜଗି ରହିଛନ୍ତି।

ଦୀର୍ଘଦିନ ଧରି ଖୋଲା ଆକାଶ ତଳେ ପଡ଼ି ରହିବାରୁ ଅନେକ ଧାନ ଶଣ୍ଢ ଓ ମୂଷା ଖାଇ ନଷ୍ଟ କରୁଛି। କେତେକ ସ୍ଥାନରେ ଧାନ ଗଜା ହୋଇଯାଇଥିବା ମଧ୍ୟ ଦେଖାଯାଇଛି। ଚାଷୀମାନେ ଶୀଘ୍ର ଧାନ ଉଠାଣି ଓ ମଣ୍ଡି ବ୍ୟବସ୍ଥା ସୁଧାର ପାଇଁ ପ୍ରଶାସନଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।