ଭାଲୁ ଭୟରେ ଗାଁ ଥରହର, ରାତି ହେଲେ ବାହାରୁନାହାଁନ୍ତି ଲୋକେ

ସନ୍ଧ୍ୟା ହେଲେ ଗାଁ ରାସ୍ତାରେ ଭାଲୁ ଝୁଣ୍ଡର ଆତଙ୍କ। ଘଟଣାଟି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ସମୀପସ୍ଥ ଅଳତି ଓ ବେଲସୁନ୍ଦରୀ ଗ୍ରାମର। ସ୍ଥାନୀୟ ଲୋକଙ୍କ ବାଡ଼ି ବଗିଚାରେ ଫଳୁଥିବା ଫଳ ଖାଇବା ଲୋଭରେ ସନ୍ଧ୍ୟା ପଡ଼ିଲେ ଭାଲୁ ଝୁଣ୍ଡ ଗାଁ ଭିତରକୁ ପ୍ରବେଶ କରୁଛି। ଏଣେତେଣେ ଦୌଡ଼ାଦୌଡ଼ି କରିବା ସହ ଗଛରେ ଚଢ଼ି ବରକୋଳି ଓ ବେଲ ଖାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଭୟଭୀତ ଗ୍ରାମବାସୀ ରାତି ୮ଟା ପରେ ଘରୁ ବାହାରୁନାହାଁନ୍ତି ଏବଂ ପରିସ୍ଥିତିକୁ ଅସୁରକ୍ଷିତ ଭାବୁଛନ୍ତି।

ଗତକାଲି ରାତି ୯ଟା ସମୟରେ ଅଳତି ଗ୍ରାମର ମଦନମୋହନ ବରାଳ ଏବଂ ରଶ୍ମୀ ମହାରଣାଙ୍କ ଅଗଣାରେ ଥିବା ବେଲ,ବରକୋଳି ଖାଇବା ପରେ ବେଲସୁନ୍ଦରି ଗାଁ ମୁହାଁ ହୋଇ ଥିଲେ ପାଞ୍ଚଟି ଭାଲୁ । ଭାଲୁ ହିଂସ୍ର ବନ୍ୟ ଜନ୍ତୁ ହୋଇଥିବାରୁ ତାକୁ ଦେଖିଲେ ତା ଠାରୁ ଦୁରେଇ ରହିବା ସହ ତାଙ୍କୁ ତା ବାଟରେ ଯିବାକୁ ଦେବାକୁ ବନବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ନିବେଦନ କରାଯାଇଛି। ଆବଶ୍ୟକ ସ୍ଥଳେ ଭାଲୁ ଠାରୁ ଦୂରେଇ ରହିବା ସହ ଯଦି  ଘଉଡାଇବାକୁ ଦରକାର ପଡେ ସ୍ଥାନିୟ ବନକର୍ମଚାରିଙ୍କ ସାହାର୍ଯ୍ୟ ନେବାକୁ ବନବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।