ବ୍ୟାସନଗରର ପ୍ରଥମ ମହିଳା ପାରିଷଦ ପ୍ରତିଭା ମହାନ୍ତିଙ୍କ ୧୮ତମ ଶ୍ରାଦ୍ଧବାର୍ଷିକୀ ପାଳିତ

ଯାଜପୁର ରୋଡ଼ରେ ବ୍ୟାସନଗର ପୌରପାଳିକାର ପ୍ରଥମ ମହିଳା ପାରିଷଦ ସ୍ୱର୍ଗତା ପ୍ରତିଭା ମହାନ୍ତିଙ୍କ ୧୮ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ଭାବଗମ୍ଭୀର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଯାଜପୁର ରୋଡ଼ ସିଭିଲ ସୋସାଇଟି ପକ୍ଷରୁ ସ୍ଥାନୀୟ ହୋଟେଲ ରୟାଲ କଳିଙ୍ଗଠାରେ ଆୟୋଜିତ ଏହି ସ୍ମୃତିଚାରଣ ସଭାରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ, ଜନପ୍ରତିନିଧି ଏବଂ ସମାଜସେବୀମାନେ ଯୋଗଦେଇ ସ୍ୱର୍ଗତା ପ୍ରତିଭା ମହାନ୍ତିଙ୍କ ଅବଦାନକୁ ସ୍ମରଣ କରିଥିଲେ।

କୋରେଇ ବିଧାୟକ ଆକାଶ ଦାସନାୟକ ଏବଂ ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଡ଼ାଇ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱର୍ଗତା ମହାନ୍ତିଙ୍କ ସାମାଜିକ ଓ ରାଜନୈତିକ ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ। ସେମାନେ କହିଥିଲେ ଯେ, ପ୍ରତିଭା ମହାନ୍ତି କେବଳ ବ୍ୟାସନଗର ପୌରପାଳିକାର ପ୍ରଥମ ମହିଳା ପାରିଷଦ ଭାବେ ଇତିହାସ ସୃଷ୍ଟି କରିନଥିଲେ, ବରଂ ନାରୀ ସଶକ୍ତିକରଣ ଏବଂ ସାମାଜିକ ସେବା କ୍ଷେତ୍ରରେ ମଧ୍ୟ ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଥିଲେ।ସଭାରେ ଉପସ୍ଥିତ ଅତିଥିମାନେ ସ୍ୱର୍ଗତା ପ୍ରତିଭା ମହାନ୍ତିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାଙ୍କର ଜନସେବା, ସାମାଜିକ କାର୍ଯ୍ୟକଳାପ ଓ ନାରୀ ନେତୃତ୍ୱର ଦୃଢ଼ ଭୂମିକା ଉପରେ ଆଲୋକପାତ କରାଯାଇଥିଲା।

ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ନାରୀ ପ୍ରତିଭାମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥିମାନେ ନାରୀମାନଙ୍କର ସାମାଜିକ, ଶିକ୍ଷା, ସାହିତ୍ୟ, ସଂସ୍କୃତି ଓ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନକୁ ପ୍ରଶଂସା କରି ସେମାନଙ୍କୁ ଆଗାମୀ ଦିନରେ ଅଧିକ ଉତ୍ସାହର ସହ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଲେ।ଯାଜପୁର ରୋଡ଼ ସିଭିଲ ସୋସାଇଟିର ମୁଖ୍ୟ ଆବାହକ ବିବେକାନନ୍ଦ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି ସଭାରେ ପୂର୍ବତନ ପୌରଧ୍ୟକ୍ଷା ସବିତା ରାଉତ, ବନ୍ଦିତା ପରିଡା, ପ୍ରଫୁଲ୍ଲ ନାୟକ, ସତ୍ୟ ନାରାୟଣ ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ସହରର ଗଣ୍ୟମାନ୍ୟ ନାଗରିକମାନେ ଉପସ୍ଥିତ ଥିଲେ।ସମଗ୍ର କାର୍ଯ୍ୟକ୍ରମଟି ଶ୍ରଦ୍ଧା, ସ୍ମୃତିଚାରଣ ଓ ନାରୀ ସମ୍ମାନର ଏକ ସୁନ୍ଦର ସମନ୍ୱୟ ଭାବେ ପରିଣତ ହୋଇଥିଲା। ସ୍ୱର୍ଗତା ପ୍ରତିଭା ମହାନ୍ତିଙ୍କ ଆଦର୍ଶ ଓ ସମାଜ ପ୍ରତି ତାଙ୍କର ଅବଦାନ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ।