
ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ମାର୍ଶାଘାଇ ବ୍ଲକରେ ବ୍ଲକ ସ୍ତରୀୟ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ହିତାଧିକାରୀଙ୍କୁ ଆୟୁଷ୍ମାନ ଆରୋଗ୍ୟ କାର୍ଡ, ନୂତନ ଭତ୍ତା ଓ ଆର୍ଥିକ ପ୍ରୋତ୍ସାହନ ରାଶି ବଣ୍ଟନ କରାଯାଇଥିଲା। ସେହିପରି ଜନକଲ୍ୟାଣମୂଳକ ଯୋଜନାର ସଫଳ ରୂପାୟନ ଉପରେ ଅତିଥିମାନେ ଗୁରୁତ୍ୱ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଡ଼. ଦୁର୍ଗା ପ୍ରସନ୍ନ ନାୟକ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଦ୍ୱାରା ଗରିବ, କୃଷକ, ଦିନମଜୁରିଆ ଓ ଖଟିଖିଆ ପରିବାର ଉପକୃତ ହୋଇପାରିଛନ୍ତି। ସେହିପରି ପୂର୍ବ ଭାରତର ଶିଳ୍ପ ବିକାଶ ଦିଗରେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସମ୍ପର୍କରେ ମତ ରଖି ମହାକାଳପଡ଼ା ଅଞ୍ଚଳରେ ପ୍ରସ୍ତାବିତ ଜାହାଜ କାରଖାନା ସ୍ଥାପନ ପାଇଁ ଏକ ବିଶେଷଜ୍ଞ ଟିମ୍ ଖରିନାସୀ ଓ ନିପାଣିଆ ଅଞ୍ଚଳ ପରିଦର୍ଶନ କରିଥିବା ସୂଚନା ଦେଇଥିଲେ। ଏହା କାର୍ଯ୍ୟକାରୀ ହେଲେ ସ୍ଥାନୀୟ ଯୁବକମାନଙ୍କ ପାଇଁ ବ୍ୟାପକ ରୋଜଗାରର ସୁଯୋଗ ସୃଷ୍ଟି ହେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ବିଡିଓ ତୃପ୍ତି ମହାନ୍ତି, ଏବିଡିଓ ଇତିଶ୍ରୀ ପଣ୍ଡା, ସିଡିପିଓ ଶୈଳଭାମା ଚାଷୀ, ସାଂସଦ ପ୍ରତିନିଧି ରଶ୍ମିରଞ୍ଜନ ରାଉତରାୟ, ଯୁବନେତା ନିଗମାନନ୍ଦ ରଥ, ବିକ୍ରମ ରାଉତ ଓ ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।