ବିଜେଡି ପୁଣି ଶକ୍ତ ଝଟକା, ଏଇଠି ମାଟି କାମୁଡିବ….

ଓଡ଼ିଶା ରାଜନୀତିରେ ଏବେ ହଟଚମଟ। ବିଶେଷ କରି ବାଲେଶ୍ବର ଜିଲ୍ଲାରେ ବିଜୁ ଜନତା ଦଳ (BJD) ପାଇଁ ଏହା ଏକ ଶକ୍ତ ଧକ୍କା। ଦଳର ଜଣେ ପ୍ରଭାବଶାଳୀ ତଥା ଟାଣୁଆ ନେତା ରବୀନ୍ଦ୍ର ଜେନା ଦଳରୁ ଇସ୍ତଫା ଦେବା ପରେ ଏବେ ଚର୍ଚ୍ଚା ଜୋର ଧରିଛି। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ରରେ “ବ୍ୟକ୍ତିଗତ କାରଣ ଓ ପରିସ୍ଥିତି” ଯୋଗୁଁ ଦଳ ଛାଡୁଥିବା ଦର୍ଶାଇଛନ୍ତି। ସେ ବାଲେଶ୍ବର ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ତୁଲାଇବା ସହ ୨୦୧୪ରେ ବାଲେଶ୍ୱରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବାଲେଶ୍ବର ଲୋକସଭା ଟିକେଟ ମିଳିବା ପରେ ରବୀନ୍ଦ୍ରଙ୍କ କ୍ଷମତା ସଂକୁଚିତ ହୋଇଥିଲା। ଏହାକୁ ନେଇ ସେ କୋଣଠେସା ହୋଇ ରହିଥିଲେ।

ବାଲେଶ୍ବର ବିଜେଡିରେ ଗୋଷ୍ଠୀ କନ୍ଦଳ ଚରମ ସୀମାରେ ଥିଲା। ପୁରୁଣା ନେତା ଓ ନୂଆ ନେତାଙ୍କ ମଧ୍ୟରେ ସମନ୍ୱୟର ଅଭାବ ରବୀନ୍ଦ୍ରଙ୍କୁ ଦଳରୁ ଦୂରେଇ ଦେଇଥିବା କୁହାଯାଉଛି। ଦୀର୍ଘ ଦିନ ଧରି ଦଳ ପାଇଁ କାମ କରିବା ପରେ ମଧ୍ୟ ଗତ ନିର୍ବାଚନରେ ତାଙ୍କୁ ସାଂସଦ ଟିକେଟ ନମିଳିବା ତାଙ୍କ ଅସନ୍ତୋଷର ମୁଖ୍ୟ କାରଣ ବୋଲି ଅନୁମାନ କରାଯାଉଛି। ରବୀନ୍ଦ୍ର ଜେନାଙ୍କ ଇସ୍ତଫା ପରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ତାଙ୍କ ପତ୍ନୀ ସୁଭାଷିନୀ ଜେନାଙ୍କୁ ନେଇ। ସେ ବର୍ତ୍ତମାନ ବସ୍ତା ବିଧାନସଭା ଆସନରୁ ବିଜେଡି ବିଧାୟିକା ଅଛନ୍ତି। ଆଗକୁ ଯଦି କୌଣସି ଗୁରୁତ୍ୱପୂର୍ଣ୍ଣ ଭୋଟିଂ ବା ରାଜ୍ୟସଭା ନିର୍ବାଚନ ପରି ପରିସ୍ଥିତି ଆସେ, ତେବେ ସୁଭାଷିନୀ ଦଳର ହ୍ଵିପ୍ ମାନିବେ ନା ସ୍ୱାମୀଙ୍କ ପଥ ଅନୁସରଣ କରିବେ? ଏହା ବିଜେଡି ପାଇଁ ଏକ ଚିନ୍ତାର ବିଷୟ। ରବୀନ୍ଦ୍ର ଜେନାଙ୍କ ଦବଦବା ଉତ୍ତର ଓଡ଼ିଶାରେ ଖୁବ୍ ଅଧିକ। ତାଙ୍କ ଇସ୍ତଫା ଦଳୀୟ କର୍ମୀଙ୍କୁ ମନୋବଳକୁ ଦୁର୍ବଳ କରିପାରେ। ଜଣେ ସଫଳ ଶିଳ୍ପପତି ଭାବେ ତାଙ୍କର ଏକ ବଡ଼ ନେଟୱାର୍କ ରହିଛି, ଯାହା ବିଜେଡି ହାତରୁ ଖସିପାରେ। ନିର୍ବାଚନ ପରେ ବିଜେଡିରୁ ଗୋଟିଏ ପରେ ଗୋଟିଏ ବଡ଼ ନେତା ଇସ୍ତଫା ଦେବା ଦଳ ଭାଙ୍ଗୁଥିବାର ସଂକେତ ଦେଉଛି।