ରାଜ୍ୟସ୍ତରରୁ ଆରମ୍ଭ କରି, ନିର୍ବାଚନମଣ୍ଡଳୀ, ପୌରାଞ୍ଚଳ ଏବଂ ପଞ୍ଚାୟତ ସ୍ତରରେ ୧୦୯ ତମ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ଲାଗି ବିଜେଡି ପକ୍ଷରୁ ପ୍ରସ୍ତୁତି କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁ ବାବୁଙ୍କ ଜୟନ୍ତୀ ପାଳନ ଲାଗି ବିଜେଡି ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରାଯାଇଛି ।

ଖୋର୍ଦ୍ଧା ବିଜୁ ଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକ ପାର୍କରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ ବିଜୁ ଯୁବ ପ୍ରେମୀ ଏକ ବାଇକ୍ ରାଲିରେ ସହର ପରିକ୍ରମା କରି ବିଜୁ ପଟ୍ଟନାୟକ ଅମର ରହେ ନାରା ଦେଇଥିଲେ । ଜିଲ୍ଲା ପରିଷଦ ସଭ୍ୟ ବିଜୟ ପାଲଟା ସିଂହ, ବିଜୁ ବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ବିଜୁ ବାବୁଙ୍କ ନୀତି ଆଦର୍ଶରେ ପରିଚାଳିତ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତି ସମସ୍ତେ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ ଲୋକଙ୍କ ସେବା କରିବାକୁ ସଂକଳ୍ପବଦ୍ଧ ହୋଇଥିଲେ ।
କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ମାହାଙ୍ଗାର ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ବିଜୁଜନତା ଦଳର ବରିଷ୍ଠ ଗଣମାଧ୍ୟମ ସଂଯୋଗ ପ୍ରତାପ ଜେନାଙ୍କ ନିର୍ଦ୍ଦେଶରେ ମାହାଙ୍ଗା ବିଜେଡି ତରଫରୁ ବିଜୁପଟ୍ଟନାୟକ ଜନ୍ମ ଜୟନ୍ତୀ ପାଳନ କରାଯାଇଛି | ପ୍ରଥମେ ଛତିଆ -ଜୟପୁର ଭୋଳିଦାସପୁର ଛକରେ ଥିବା ବିଜୁପଟ୍ଟନାୟକ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ବିଜୁ ବାବୁଙ୍କ ସମ୍ବନ୍ଧରେ ଆଲୋକପାତ କରାଯାଇଥିଲା | ପରେ ପରେ ସେଠାରୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ମଟର ସାଇକେଲ ଶୋଭାଯାତ୍ରା ବାହାରି ମାହାଙ୍ଗା ବ୍ଲକ ସମୁଖରେ ପହଞ୍ଚି ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା |
କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀରେ ୧୦୯ ତମ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳନ ହୋଇଯାଇଛି | ଗରଦପୁର ବ୍ଲକ ଚଅଁପୁର ଓ ଡେରାବିଶ ବ୍ଲକ ଲଣ୍ଡା ପଡିଆରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ହଜାର ହଜାର ବିଜୁ ପ୍ରେମୀ ଓ ବିଜେଡି କର୍ମୀଙ୍କ ସମାଗମରେ ଜୟନ୍ତୀ ପାଳିତ ହୋଇଯାଇଛି | ତେବେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ ପଞ୍ଚାୟତିରାଜ ଦିବସକୁ ଘୁଞ୍ଚାଇ ଦେବା ଓ ଛୁଟି ଦିବସକୁ ବାତିଲ କରିବା ଓ ମାହାଙ୍ଗାରେ ବିଜୁ ବାବୁଙ୍କ ମୂର୍ତ୍ତିରୁ ମୁଣ୍ଡ କାଟିବା ନେଇ ବିଜେପି ସରକାରକୁ ଟାର୍ଗେଟ କରି ଅରବିନ୍ଦ ବର୍ଷିଛନ୍ତି | ବିଜେପିର ହୀନ ରାଜନୀତି ବୋଲି ଅରବିନ୍ଦ କହିଛନ୍ତି |
ବିଜୁ ପଟ୍ଟନାୟକ ଥିଲେ ନାରୀ ସଶକ୍ତିକରଣର ଆଦ୍ୟ ପ୍ରବକ୍ତା। ଓଡ଼ିଶାର ସ୍ବାଭିମାନୀ ଓ ନିର୍ଭିକ ଓଡିଆ ଜାତିର ପୁନର୍ଗଠନ ପାଇଁ ମାଆ ମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବା ପାଇଁ ପ୍ରସ୍ତୁତ କରିଥିଲେ ନାରୀ ସଶକ୍ତିକରଣର ନକ୍ସା। ସାରା ଭାରତରେ ପ୍ରଥମ ଥର ପାଇଁ କ୍ଷମତା ବିକେନ୍ଦ୍ରୀକରଣରେ ୩୩ ଭାଗ ସଂରକ୍ଷଣ ସହିତ ଗାଁକୁ କାମ ମାକୁ ସମ୍ମାନର ନାରା ଦେଇ ତିଆରି କରିଥିଲେ ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ବିକାଶର ମୁଳଦୁଆ । ସଶକ୍ତ ଓଡ଼ିଶା ଗଠନର ମୂଳଦୁଆ ପାଇଁ ପାରାଦ୍ଵୀପ ରେ ତିଆରି କରାଇଥିଲେ ବନ୍ଦର । ଯାହା ଆଜି ଭାରତର ଏକ ନମ୍ବର ମେଜର ପୋର୍ଟ ର ମାନ୍ୟତା ହାସଲ କରିଛି। କିନ୍ତୁ ରାଜ୍ୟ ସରକାର ହୀନମନ୍ୟତାର ଶିକାର ହୋଇ ତାଙ୍କ ଜନ୍ମ ଦିବସକୁ ପାଳନ କରାଯାଉଥିବା ପଞ୍ଚାୟତ ରାଜ ଦିବସ କୁ ବନ୍ଦ କରି ଦେଇଛନ୍ତି। କିନ୍ତୁ ଓଡ଼ିଶାର ସାଡେ ଚାରି କୋଟି ଓଡିଆଙ୍କ ହୃଦୟରୁ ବିଜୁବାବୁଙ୍କୁ କାଢ଼ିବା ପାରିବେ ନାହିଁ ରାଜ୍ୟ ସରକାର। ପାରାଦ୍ଵୀପ ନଗର ବିଜେଡି ପକ୍ଷରୁ ଅଠରବାଙ୍କି ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ଅବସରରେ ପ୍ରକାଶ କରିଛନ୍ତି ବିଜେଡି ନେତା। ନଗର ବିଜେଡି ସଭାପତି ତଥା ପୈାରାଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ କୁଳମଣି ସାମଲଙ୍କ ସମେତ ବହୁ ପରିଷଦ ଓ ବିଜେଡି କର୍ମୀ ସାମିଲ ହୋଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅଦମ୍ୟ ସାହସ ଓ ଓଡ଼ିଶା ପ୍ରତି ତାଙ୍କର କର୍ତ୍ତବ୍ୟକୁ ମନେ ପକାଇଥିଲେ।
ଯାଜପୁର ଜିଲ୍ଲା କୋରେଇ ବିଜେଡି ପକ୍ଷରୁ ବ୍ୟାସନଗର ସହରର ବିଭିନ୍ନ ସ୍ଥାନରେ ଥିବା ବିଜୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ କୋରେଇ ବ୍ଲକ ତଳଗଡ଼ ପଞ୍ଚାୟତରେ ଏକ ସଭାର ଆୟୋଜନ କରିଥିଲେ | ତଳଗଡ଼ ପଞ୍ଚାୟତର ସରପଞ୍ଚ ସନ୍ତୋଷ କୁମାର ସ୍ୱାଇଁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ସଭାରେ ଭକ୍ତ ବତ୍ସଳ ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଜେଡି ଯୁବ ନେତା ଭଵ ପ୍ରକାଶ ଦାସ ଯୋଗ ଦେଇ କର୍ମୀମାନଙ୍କ ଆଗରେ ବିଜୁ ବାବୁଙ୍କ ଅତୀତର ଗାରିମା ଗାଥାକୁ ବଖାଣି ଥିଲେ | ଏଥିସହିତ ବର୍ତ୍ତମାନ ସରକାରଙ୍କ ପରିବର୍ତନ ରାଜନୀତିକୁ ମଧ୍ୟ ଘୃଣା କରିଥିଲେ | ରଙ୍ଗବୋଳା ରାଜନୀତିକୁ କୋରେଇ ବିଜେଡି ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଥିଲା | କୋରେଇ ବ୍ଲକର ଶତାଧିକ ବିଜେଡି ପୁରୁଷ ଓ ମହିଳା କର୍ମୀ ଏଥିରେ ସାମିଲ ହୋଇଥିଲେ |
ରାୟଗଡା ବିଜୁ ଜନତା ଦଳ ତରଫରୁ ରାୟଗଡା ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବିଜୁ ବାବୁଙ୍କ ଓଡ଼ିଶାବାସୀଙ୍କ ପ୍ରତି ଥିବା ଅବଦାନର ସ୍ମୃତିଚାରଣ କରିଛନ୍ତି | ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ସ୍ଥିତ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ଏକାଠି ହେଇଥିଲେ ନେତା ଓ କର୍ମୀ ମାନେ | ଏହି ସମାବେଶରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ, ପୌର ପରିଷଦ ଉପାଧ୍ୟକ୍ଷା ସୁଭ୍ରା ପଣ୍ଡା, ରାୟଗଡା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀ ଅନୁସୟା ମାଝୀ, ୧୩ନମ୍ୱର ୱାର୍ଡ କାଉନସିଲର ପ୍ରତିମା ପାଣିଗ୍ରାହୀ, ପୌର ପରିଷଦର ଅଧ୍ୟକ୍ଷ ମହେଶ ପଟ୍ଟନାୟକ, ବରିଷ୍ଠ ଆଇନଜୀବି ବ୍ରଜ ସୁନ୍ଦର ନାୟକ ପ୍ରମୁଖ ଉପସ୍ଥିତ ଥିଲେ | ବିଜୁ ବାବୁଙ୍କ ଜନ୍ମଦିନକୁ ସରକାର ଅଣଦେଖା କରିବା ସହ ବିଜୁ ବାବୁଙ୍କ କୃତିକୁ ବର୍ତ୍ତମାନ ଶାସକ ଦଳ ମଳିନ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି କଡା ନିନ୍ଦା କରିଛନ୍ତି ବିଜେଡ଼ି ନେତା | ବର୍ତ୍ତମାନ ବିଜେପି ସରକାର ଏହି ନିଷ୍ପତ୍ତିକୁ ବଦଳେଇ ଦେଇ ଓଡିଶାର ଗୌରବ କ୍ଷୁର୍ଣ୍ଣ କରିଛନ୍ତି | ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ ଅଟେ | ବିଜେପି ରାଜ୍ୟରେ ସରକାର ଗଠନ କରିବା ପର ଠାରୁ କ୍ଷମତା ବଳରେ ବିଜୁ ପଟ୍ଟନାୟକଙ୍କ କୃତିକୁ ସୁଚିନ୍ତିତ ଉପାୟରେ ମଳିନ କରିବା ପାଇଁ ଅପେଚେଷ୍ଟା କରୁଛନ୍ତି | ଆଗାମୀ ଦିନରେ ନିର୍ବାଚନ ମଇଦାନରେ ଓଡ଼ିଶାର ଜନସାଧାରଣ ଏହାର ଉଚିତ ଜବାବ୍ ଦେବେ। ଏଥି ସହ ରାଜ୍ୟରେ ପୁଣିଥରେ ବିଜେଡ଼ି ସରକାର ଗଢ଼ିବ ଓ କ୍ଷମତାକୁ ଫେରିବ ବୋଲି ମତ ଦେଇଛନ୍ତି ଉପସ୍ଥିତ ବରିଷ୍ଠ ନେତା ଓ କର୍ମୀ ମାନେ।