ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳରେ ଦୀର୍ଘ ଦିନ ଧରି ଚାଲିଥିବା ବେଆଇନ ବାଲି ଓ ମାଟି ଚୋରା ଚାଲାଣ ଉପରେ ଏବେ ଅଙ୍କୁଶ ଲାଗିଛି। ଜୁନିଅର ଲଘୁ ଖଣିଜ ଅଧିକାରୀ ସତ୍ୟ ଚିନ୍ମୟ ଜେନା କାର୍ଯ୍ୟଭାର ଗ୍ରହଣ କରିବା ପରେ ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ଯାହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ସୁବର୍ଣ୍ଣରେଖା ନଦୀର ଛୋଟ ଖାନପୁର, ଚଡବଡାପାଳ ଓ ବୁନ୍ଦା କୋଠା ଅଞ୍ଚଳରୁ ବେଆଇନ ଭାବେ ବାଲି ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ଖବର ମିଳିଥିଲା।

ଏହି ସୂଚନା ପାଇବା କ୍ଷଣି: ଜଳେଶ୍ଵର ଜୁନିଅର ଖଣି ଅଧିକାରୀ ତାପଶ ନାୟକ ଏବଂ ବାଲିଆପାଳ ଅଧିକାରୀ ସତ୍ୟ ଚିନ୍ମୟ ଜେନା ମିଳିତ ଭାବେ ଚଢ଼ାଉ କରିଥିଲେ। ଗୋଡ଼ାଇ ଗୋଡ଼ାଇ ଏକ ଚୋରା ବାଲି ବୋଝେଇ ଡମ୍ପର ଏବଂ ଟ୍ରାକ୍ଟରକୁ ଜବତ କରିବାରେ ସେମାନେ ସଫଳ ହୋଇଛନ୍ତି। ବର୍ଷ ବର୍ଷ ଧରି ଚାଲିଥିବା ଏହି ବେଆଇନ କାରବାର ଏବେ ଥମିବାରେ ଲାଗିଛି।

ଶ୍ରୀ ଜେନାଙ୍କ କଡ଼ା ଆଭିମୁଖ୍ୟ ଯୋଗୁଁ: ବାଲି ମାଫିଆମାନେ ଏବେ ଧରାପଡ଼ିବା ଭୟରେ କାରବାର ବନ୍ଦ କରିବା ସହ ନିଜ ଆଡ଼ୁ ଫାଇନ୍ ଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଜିଲ୍ଲା ଲଘୁ ଖଣି ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଦିନରାତି ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ସତ୍ୟ ଚିନ୍ମୟ ଜେନାଙ୍କ ନିଭୀକ କାର୍ଯ୍ୟଶୈଳୀ ପାଇଁ ସ୍ଥାନୀୟ ବାସିନ୍ଦା ତାଙ୍କୁ ସାଧୁବାଦ ଜଣାଇଛନ୍ତି। ଏହି ବାର୍ତ୍ତା ଏବେ ବାଲିଆପାଳରେ ସ୍ପଷ୍ଟ ହୋଇଛି। ପ୍ରଶାସନର ଏହି ସକ୍ରିୟତା ଯୋଗୁଁ ପ୍ରାକୃତିକ ସମ୍ପଦର ଲୁଟ୍ ରୋକିବା ସହ ସରକାରୀ ରାଜସ୍ୱ ବୃଦ୍ଧି ପାଇବାରେ ସହାୟକ ହେଉଛି।