ବାବା ରାମେଶ୍ଵର ଶିବ ମନ୍ଦିରର ବାର୍ଷିକ ଉତ୍ସବ

ଶ୍ରୀ ଶ୍ରୀ ବାବା ରାମେଶ୍ୱର ଶିବ ମନ୍ଦିରର ବାର୍ଷିକ ଉତ୍ସବ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି । ୩ ଦିନ ଧରି ଅନୁଷ୍ଠିତ ଏହି ପ୍ରତିଷ୍ଠା ଉତ୍ସଵ ଏକ ଆଧ୍ୟାତ୍ମିକ ପରିବେଶ ଭିତରେ ଧୁମଧାମର ସହ ପାଳନ ହୋଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମାର୍ଚ୍ଚ ମାସ ୩୧ ତାରିଖରେ ପାଳିତ ହୋଇଛି । ମଙ୍ଗଳବାର ଦିନ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମରେ ଭୂୟାଁ ରୋଇଡା ପଞ୍ଚାୟତ ରୋଇଡା ଗ୍ରାମରେ ସ୍ବର୍ଗତ ବିଶ୍ବନାଥ ପାତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀ ଶ୍ରୀ ବାବା ରାମେଶ୍ୱର ମହାଦେବ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

୨୦୦୪ ମସିହାରେ ଭୂମିପୂଜନ ହେବା ପରେ ୨୦୦୯ ମସିହାରେ ଠିକ୍ ଏହି ତାରିଖରେ ପ୍ରତିଷ୍ଠା ହୋଇଥିଲା ଏହି ଶିବ ମନ୍ଦିର। ବାବାଙ୍କ କୃପା ଓ ଅଲୌକିକ ଲୀଳାରୁ ଧୀରେ ଧୀରେ ଯୋଡି ହୋଇଛନ୍ତି ଶହ ଶହ ଶ୍ରଦ୍ଧାଳୁ । ସ୍ଥାନୀୟ ଭୂୟାଁ ରୋଇଡା ସରପଞ୍ଚ ତୁଳସୀ ବବଙ୍ଗାଙ୍କ ନେତୃତ୍ୱରେ ବାବା ରାମେଶ୍ୱର ମନ୍ଦିରର ଏହି ବାର୍ଷିକ ଉତ୍ସବଟି ମନ୍ଦିରର ରୀତିନୀତି ଅନୁଯାୟୀ ପାଳିତ ହୋଇଥିଲା । ଯଜ୍ଞ ଆରମ୍ଭ ପୂର୍ବରୁ ୧୦୮ ଜଣ ମହିଳା କ୍ୟାଥହାଟିଂ ସୁନାନଦୀ ଘାଟରୁ ମନ୍ତ୍ର ଉଚ୍ଚାରଣ ପୂର୍ବକ କଳସୀରୁ ପାଣି ଉଠାଇ ଶୋଭାଯାତ୍ରାରେ ଯଜ୍ଞ ସ୍ଥଳରେ ପହଞ୍ଚି ଥିଲେ ।ବ୍ରତଧାରୀ ଜଳଭର୍ତ୍ତୀ କଳସୀ ସମୂହକୁ ଯଜ୍ଞ ମଣ୍ଡପରେ ସ୍ଥାପନ କରି ପରବର୍ତ୍ତୀ କାର୍ଯ୍ୟସୂଚୀ ଅନୁଯାୟୀ ମାଙ୍ଗଳିକ କାର୍ଯ୍ୟକ୍ରମ ସମୂହ ଅନୁଷ୍ଠିତ ହୋଇଥିଲା । ୩ ଦିନ ଧରି କାର୍ଯ୍ୟକ୍ରମ କରାଯାଉ ଥିବା ବେଳେ ଆସୁଥିବା ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମନ୍ଦିର ତରଫରୁ କରାଯାଇଛି। ଏହି ୧୬ ତମ ମନ୍ଦିର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳର ସଞ୍ଜୟ ପାତ୍ର ଓ ଗ୍ରାମବାସୀ ପରିଚାଳନା କରୁଥିବା ଦେଖା ଯାଇଥିଲା।