ବରଗଡ଼ ଜିଲ୍ଲାରେ ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ ଆୟୋଜିତ

କୃଷିନୀତି ପ୍ରତିବାଦରେ ବରଗଡ଼ ଠାରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ | ବରଗଡ଼ ଜିଲ୍ଲା ସୟାଁ ଖେଳ ପଡ଼ିଆଠାରେ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଏହି ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ ଆୟୋଜିତ ହୋଇଛି। ଏହି ମହାପଞ୍ଚାୟତରେ ଅନେକ ଚାଷୀ, ସ୍ବେଚ୍ଛାସେବୀ, ସାମାଜିକ ସଂଗଠନ ସାମିଲ ହୋଇଛନ୍ତି। ଏଥିରେ ଭାରତୀୟ କିଷାନ ୟୁନିଅନର ପ୍ରବକ୍ତା ରାକେଶ ଟିକାୟତଙ୍କ ସମେତ ଅନେକ ରାଷ୍ଟ୍ରୀୟ ସ୍ତରୀୟ କୃଷକ ନେତା ଯୋଗଦାନ କରିଛନ୍ତି। ସରକାରଙ୍କ କୃଷିନୀତି ସମ୍ପୂର୍ଣ୍ଣ ଭାବରେ କମ୍ପାନୀ ଓ ପୁଞ୍ଜିପତିମାନଙ୍କୁ ସୁହାଉଛି। ଅନ୍ୟପକ୍ଷରେ ଯେଉଁ କୃଷକଙ୍କ ପାଇଁ ନୀତି ପ୍ରସ୍ତୁତ କରାଯାଉଛି, ସେମାନେ ଦିନକୁ ଦିନ ଗରିବ ଋଣଗ୍ରସ୍ତ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ବୋଲି ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି |

ପୁଞ୍ଜିପତିମାନେ ଯେତିକି ଟଙ୍କା ଋଣ କରି ବିଦେଶକୁ ପଳାଉଛନ୍ତି, ସେତିକି ଟଙ୍କା ଋଣ ଚାଷୀମାନେ ନେଇ ନାହାନ୍ତି। ସେହିପରି ସରକାରମାନେ ଅଧିକ ଅମଳ ପାଇଁ ଉନ୍ନତ ବିହନ,ରାସାୟନିକ ସାର ଓ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର ପାଇଁ ପ୍ରୋତ୍ସାହିତ କରୁଥିବା ବେଳେ ଚାଷୀମାନେ ବିନିଯୋଗ ଅର୍ଥ ତୁଳନାରେ ବିକ୍ରି ମୂଲ୍ୟ କମ୍ ପାଉଛନ୍ତି । ଚାଷୀ ମାନଙ୍କ ଉତ୍ପାଦିତ ସମସ୍ତ ଫସଲକୁ ସରକାର କ୍ରୟ ନ କରି ଏକ ତୃତୀୟାଂଶ କିଣୁଛନ୍ତି । ଯାହା ଦ୍ୱାରା ବଳକା ଶସ୍ୟକୁ ଚାଷୀ ଦଲାଲ ଏବଂ ବେପାରୀମାନଙ୍କୁ କମ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବଜାର ବ୍ୟବସ୍ଥା, ଭିତ୍ତିଭୂମି ଓ ଶୀତଳ ଭଣ୍ଡାର ଅଭାବରୁ ଚାଷୀ କ୍ଷତିଗ୍ରସ୍ତ ଓ ଶୋଷଣର ଶିକାର ହେଉଛନ୍ତି। ବିଭିନ୍ନ ସରକାରମାନେ ଜଳସେଚନ କଥା କହୁଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ସମସ୍ତ ଚାଷ ଜମିକୁ ଜଳସେଚିତ କରିପାରୁ ନାହାନ୍ତି। ବରଗଡ଼ ଜିଲ୍ଲାର୍ ୧୨ ବ୍ଲକ ମଧ୍ୟରୁ ୪ ବ୍ଲକ ସମ୍ପୂର୍ଣ୍ଣ ଜଳସେଚିତ ହୋଇଥିବା ବେଳେ ୮ ବ୍ଲକ ଜଳ ବିନା ମରୁଡ଼ିର ସାମ୍ନା କରୁଛନ୍ତି ।

ଠିକ ସମୟରେ ଫସଲବୀମା ପଇସା ପାଉନ ଥିବାରୁ ଚାଷୀମାନେ ଆନ୍ଦୋଳନ କରୁଛନ୍ତି । ବିଭିନ୍ନ କମ୍ପାନୀର କୋଟି କୋଟି ଟଙ୍କା ବିଜୁଳି ବିଲ ଛାଡ଼ କରାଯାଉଥିବା ବେଳେ ଘରୋଇ ଉପଭୋକ୍ତା ଓ ଚାଷୀମାନଙ୍କ ପାଖରୁ ଜୋର ଜବରଦସ୍ତ ବିଜୁଳି ବିଲ ଆଦାୟ କରାଯାଉଛି ବିଲ ନ ଦେଲେ ଲାଇନ କାଟି ଦିଆହେଉଛି ବୋଲି ଅଭିଯୋଗ କରିଛନ୍ତି କୃଷକ ସଂଗଠନ |