
ବରଗଡ଼ ଜିଲ୍ଲାରେ ଅଦିନିଆ ବର୍ଷା କରିଛି ବ୍ୟାପକ କ୍ଷୟକ୍ଷତି, ଧାନ ଫସଲ ନଷ୍ଟ କରିବା ସଙ୍ଗେ ସଙ୍ଗେ ଭାଂଗିଛି ଚାଷୀର ମେରୁଦଣ୍ଡ । ବର୍ଷା ପ୍ରଭାବରୁ ମଣ୍ଡିରେ ପଡ଼ିଥିବା ଧାନ ଗୁଡ଼ିକ ଗଜା ହୋଇଯାଇଛି । ଚାଷଜମିରେ ଧାନ ଅମଳ ହେବା ଆଗରୁ ବର୍ଷାରେ ଭିଜି ଗଜା ହୋଇଯାଇଛି । ଏହି ଅବସରରେ ଚାଷୀଙ୍କ ପାଇଁ ଆଗେଇ ଆସିଛନ୍ତି ଜିଲ୍ଲା ବିଜେଡିର ସମସ୍ତ ବିଧାୟକ, ପୂର୍ବତନ ବିଧାୟକ, ବିଜେଡି ନେତା ଓ କର୍ମୀମାନେ । ସମସ୍ତେ ଏକାଠି ହୋଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ବିଜେଡି ଜିଲା ସଭାପତି ସୁଶାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଗତକାଲି ସକାଳ ପ୍ରାୟ ୧୦ଟାରେ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ରୀତା ସାହୁ, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ଅନେକ ଦଳୀୟ କାର୍ଯ୍ୟକର୍ତ୍ତା, କର୍ମୀ ଦାବିପତ୍ର ପ୍ରଦାନ କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ତେବେ ଦାବିପତ୍ର ଗ୍ରହଣ ପାଇଁ ଜିଲାପାଳ ନ ଆସିବାରୁ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଦଳ ପକ୍ଷରୁ ୬ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବସି ରହିଥିଲେ। ପରେ ଜିଲ୍ଲାପାଳ ଆସିବା ପରେ ଏସବୁକୁ ତୁରନ୍ତ ଗୋଟିଏ ଟିମ୍ ଜିଲ୍ଲାର ସମସ୍ତ ବ୍ଳକ ଅଞ୍ଚଳକୁ ପଠେଇ ଠିକ୍ ଭାବେ ସର୍ଭେ କରି ଚାଷୀଙ୍କୁ ଉଚିତ୍ କ୍ଷତିପୂରଣ ମିଳୁ ବୋଲି ଦାବି କରିଥିଲେ । ସେହିପରି ଚାଷୀର ଋଣ ସମ୍ପୂର୍ଣ୍ଣ ଛାଡ କରି ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ ସବସିଡ଼ି ପ୍ରଦାନ କରିବା ସହ ସମସ୍ତ ମିଲର୍ ମାନେ ବିନା କଟନି ଛଟନିରେ ଧାନ କ୍ରୟ କରିବା ପାଇଁ ମିଲର ମାନଙ୍କୁ ଆଦେଶ ଦେବାକୁ ବିଧାୟିକା ବର୍ଷା କହିଥିଲେ ।
ସରକାରୀ କଳର ଉଦାସୀନତା ବିରୁଦ୍ଧରେ ଏବଂ ଚାଷୀମାନଙ୍କୁ ସଠିକ କ୍ଷତିପୁରଣ ଯଥାଶୀଘ୍ର ପ୍ରଦାନ ନିମନ୍ତେ ବିଜେଡି ପକ୍ଷରୁ ୬ ଦଫା ଦାବୀପତ୍ର ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ପ୍ରଦାନ କରିଥିଲେ ।