ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା: ଦୋଷୀଙ୍କୁ ୪୮ ଘଂଟା ମଧ୍ୟରେ ଗିରଫ ନକଲେ ଆନ୍ଦୋଳନର ଚେତାବନୀ

ବନ କର୍ମଚାରୀଙ୍କୁ ଦୁଇଟି ପୃଥକ ପୃଥକ ଘଟଣାରେ ବନ କର୍ମଚାରୀଙ୍କ ସଂଘବଦ୍ଧ ଭାବେ ଆକ୍ରମଣ ଘଟଣାରେ ଆଜି ଓଡିଶା ନନ ଗେଜେଟେଡ ଫରେଷ୍ଟ ସର୍ଭିସ ଆସୋସିଏସନ, କେନ୍ଦୁଝର ଶାଖାର ଏକ ଜରୁରୀ ବୈଠକ କେନ୍ଦୁଝର ସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ପରେ ବନ କର୍ମଚାରୀମାନେ ସନ୍ଧ୍ୟାରେ କେନ୍ଦୁଝର ବନଖଣ୍ଡ କାର୍ଯ୍ୟାଳୟ ଆସି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଥିଲେ । ମୁଖ୍ୟ ଗେଟରେ ପୋଲିସ ବନ କର୍ମଚାରୀଙ୍କୁ ନ ଛାଡିବାରୁ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ବନକର୍ମଚାରୀମାନେ ବନଖଣ୍ଡ କାର୍ଯ୍ୟାଳୟ ଭିତରକୁ ଯାଇ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଥିଲେ । ପରେ ବନଖଣ୍ଡ ଅଧିକାରୀ ଧନରାଜ ଏଚ ଡି ଆନ୍ଦୋଳନ ସ୍ଥଳକୁ ଆସି ଓଡିଶା ନନ ଗେଜେଟେଡ ଫରେଷ୍ଟ ସର୍ଭିସ ଆସୋସିଏସନର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ।

ଏହା ସହ କେନ୍ଦୁଝର ଶାଖାର ସଭାପତି ଦୀପକ ସ୍ୱାଇଁ, ସମ୍ପାଦକ ଭୂପତି କୁମାର ସେଠୀ, କାଳନ୍ଦି ସାମଲ, ଆଶୁତୋଷ ଚକ୍ରବର୍ତ୍ତୀ, ଜତିନ୍ଦ୍ର ସାହୁ, ମିତ୍ରଭାନୁ ନାୟକ ଏବଂ ବନ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ।

ଅପରାଧିଙ୍କୁ ୪୮ ଘଂଟା ମଧ୍ୟରେ ଗିରଫ ଏବଂ ଅନ୍ୟ ଦାବୀ ଉପରେ ବନଖଣ୍ଡ ଅଧିକାରୀ ସଂଘର କର୍ମକର୍ତ୍ତାଙ୍କ ସହ ଆଳୋଚନା ପରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ସୂଚନା ଅନୁସାରେ, ବଡବିଲ ରେଞ୍ଜ ଗୁଆଲି ସେକ୍ସନ କାରୋ ସଂରକ୍ଷିତ ଜଙ୍ଗଲରେ ବନଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଇଥିବାବେଳେ ବଣୁଆ ହାତୀ ଆକ୍ରମଣରେ ରୀନା ମୁଣ୍ଡା ମୃତ୍ୟୁବରଣ କରିଥିବାବେଳେ ତାଙ୍କ ସ୍ୱାମୀ ରାଜୁ ମୁଣ୍ଡା ଗୁରୁତର ଆହତ ହୋଇଥିଲେ । ଘଟଣା ନେଇ ବନ ବିଭାଗ ସୂଚନା ପାଇବା ପରେ ଘଟଣାସ୍ଥଳକୁ ଯାଇ ସେମାନଙ୍କୁ ଆମ୍ବୁଲାନ୍ସ ଓ ଅଫିସ ଗାଡିରେ ଆଣିବା ବେଳେ କେନ୍ଦୁଡିହି ଗ୍ରାମ ନିକଟରେ ଗାଡି ଅଟକାଇ ବଡବିଲ ରେଞ୍ଜର ସଞ୍ଜିବ ରାଉତ,ଗୁଆଲି ଫରେଷ୍ଟର ଶରତ କୁମାର ପଟ୍ଟନାୟକ, ପ୍ରୋଟେକସନ ସ୍କ୍ୱାର୍ଡର କର୍ମଚାରୀ ମୂରଲୀଧର ନାୟକ,ବଚନ ମୁଣ୍ଡା, ଶିବ ନାଏକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଡୁ୍ୟଟିରେ ଥିବାବେଳେ ଫରେଷ୍ଟର ଶରତ କୁମାର ପଟ୍ଟନାୟକଙ୍କୁ ରୁଗୁଡି ଆଇଆଇସି ଏବଂ ଅନ୍ୟ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ମହିଳା ଏବଂ ପୁରୁଷମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ଖାକି ପୋଷାକକୁ ଛିଣ୍ଡାଇ ପକେଟରୁ ଟଙ୍କା ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଯାଇଥିଲେ । ପରେ ଘଟଣା ନେଇ ସୂଚନା ପାଇବା ପରେ ଏକ ପ୍ଲାଟୁନ ପୋଲିସ ପହଁଚି ଫରେଷ୍ଟର ଶରତ କୁମାର ପଟ୍ଟନାୟକ ଏବଂ ଅନ୍ୟ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ବନପାଳ ଶରତ କୁମାର ପଟ୍ଟନାୟକଙ୍କୁ ବଡବିଲ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏହି ଘଟଣାରେ ଅଦ୍ୟାବଧି ରୁଗୁଡି ପୋଲିସ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

ଆଜି ଓଡିଶା ନନ ଗେଜେଟେଡ ଫରେଷ୍ଟ ସର୍ଭିସ ଆସୋସିଏସନ,କେନ୍ଦୁଝର ଶାଖା ପକ୍ଷରୁ କେନ୍ଦୁଝର ଡିଭିଜନର ୭ଟି ରେଞ୍ଜର ଫରେଷ୍ଟର,ଫରେଷ୍ଟ ଗାର୍ଡ ଏବଂ ଅନ୍ୟ ବନ କର୍ମଚାରୀମାନେ ୬ ଦଫା ଦାବୀ ନେଇ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ,ଡିଏଫଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।