
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ବନ୍ୟାର କରାଳ ରୂପ ଲୋକଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି । ବନ୍ୟାର କରାଳ ରୂପ ଯୋଗୁଁ ନଦୀକୂଳିଆ ଅଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଳି ଧୋୟା ଅଞ୍ଚଳରେ ଏବେ ବି ପ୍ରାୟ ୫ ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଅନେକ ଗାଁ ଜଳବନ୍ଦୀ ହୋଇଥିବା ବେଳେ ଲୋକଙ୍କ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଲୋକଙ୍କୁ ଡଙ୍ଗାର ସାହାଯ୍ୟ ନେବାକୁ ପଡ଼ୁଛି।
ଏହି ଭୟାବହ ବନ୍ୟା ପରିସ୍ଥିତି ମଧ୍ୟରେ ଜଣେ ୬୫ ବର୍ଷୀୟ ଡଙ୍ଗା ଚାଳକ ନିଖୋଜ ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ାଇଛି। ନିଖୋଜ ବ୍ୟକ୍ତି ହେଉଛନ୍ତି ଆଳି ଥାନା ଅନ୍ତର୍ଗତ ଭୂଇଁପୁର ପଞ୍ଚାୟତର ୧ ନମ୍ବର ୱାର୍ଡ କଳମଡ଼ାଶାସନ ଗାଁର ସୀତାକାନ୍ତ ମଳିକ। ସେ ଦୀର୍ଘ ପ୍ରାୟ ୧୫ ବର୍ଷ ଧରି ଡଙ୍ଗା ଚଳାଇ ଆସୁଥିଲେ।
ସୂଚନା ଅନୁଯାୟୀ, କଳମଡ଼ାଶାସନ ଗାଁଟି ଚାରିପଟେ ଖରସ୍ରୋତା ନଦୀ ଘେରି ରହିଛି। ବନ୍ୟା ସମୟରେ ଗାଁବାସୀଙ୍କ ପାଇଁ ଡଙ୍ଗା ହିଁ ଏକମାତ୍ର ଯାତାୟାତର ମାଧ୍ୟମ ପାଲଟିଛି। ଦୀର୍ଘ ବର୍ଷ ଧରି ସୀତାକାନ୍ତ ନିଜ ଜୀବନକୁ ବିପଦରେ ପକାଇ ନଦୀର ପ୍ରଖର ସ୍ରୋତ ମଧ୍ୟରେ ଡଙ୍ଗା ଚଳାଇ ଲୋକଙ୍କୁ ଏପାରିରୁ ସେପାରିକୁ ନେଇ ଯାଉଥିଲେ। ବନ୍ୟା ସମୟରେ ଲୋକଙ୍କ ଜରୁରୀ ଆବଶ୍ୟକତା ପୂରଣରେ ମଧ୍ୟ ସେ ସହଯୋଗ କରୁଥିଲେ।
ତେବେ ଗତକାଲି ରାତିରେ ଘର ପାଇଁ ସଉଦା ଆଣିବାକୁ ସୀତାକାନ୍ତ ବନ୍ୟାଜଳ ମଧ୍ୟରେ ପଶି ପାଖ ପଞ୍ଚାୟତ ପଦନିପାଳ ଅଞ୍ଚଳକୁ ଯାଇଥିଲେ। ଏହି ସମୟରେ ଖରସ୍ରୋତା ନଦୀରେ ବନ୍ୟାଜଳର ପ୍ରଖର ସ୍ରୋତ ରହିଥିଲା। ତେଣୁ ସେ ସେହି ପ୍ରଖର ସ୍ରୋତରେ ଭାସିଯାଇଥିବା ଆଶଙ୍କା କରାଯାଉଛି। ଗତକାଲି ରାତିରୁ ତାଙ୍କର କୌଣସି ପତ୍ତା ମିଳୁନଥିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ିଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ଆଜି ରବିବାର ସକାଳୁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାରକାରୀ ଦଳ ନଦୀର ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ପ୍ରଖର ଜଳସ୍ରୋତ, ଅଧିକ ଜଳରାଶି ଏବଂ ଲଗାଣ ବର୍ଷା ଯୋଗୁଁ ଖୋଜାଖୋଜି କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିଲେ ମଧ୍ୟ ଉଦ୍ଧାରକାରୀ ଟିମ୍ ପକ୍ଷରୁ ଉଦ୍ୟମ ଜାରି ରହିଛି।
ସୀତାକାନ୍ତଙ୍କ ନିଖୋଜ ଖବର ପ୍ରଚାର ହେବା ପରେ କଳମଡ଼ାଶାସନ ଓ ଆଖପାଖ ଅଞ୍ଚଳରେ ଚିନ୍ତାର ବାତାବରଣ ଖେଳିଯାଇଛି। ଯେଉଁ ବ୍ୟକ୍ତି ଦୀର୍ଘ ୧୫ ବର୍ଷ ଧରି ବନ୍ୟା ସମୟରେ ଅନ୍ୟମାନଙ୍କୁ ନଦୀ ପାର କରାଇ ଆସୁଥିଲେ, ଆଜି ସେହି ବ୍ୟକ୍ତି ନିଜେ ବନ୍ୟା ସ୍ରୋତରେ ନିଖୋଜ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବନ୍ୟାଜଳ ଦ୍ରୁତ ଗତିରେ ପ୍ରବାହିତ ହେଉଥିବାରୁ ଅଞ୍ଚଳରେ ଯାତାୟାତ କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ିଛି। ତଥାପି ଜରୁରୀ ଆବଶ୍ୟକତା ପାଇଁ ଲୋକେ ବିପଦକୁ ଖାତିର ନକରି ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ଏହି ଘଟଣା ପରେ ବନ୍ୟାଜଳ ମଧ୍ୟରେ ଯାତାୟାତ ସମୟରେ ସତର୍କତା ଅବଲମ୍ବନ କରିବା ନେଇ ମଧ୍ୟ ଚିନ୍ତା ବଢ଼ିଛି।
ବର୍ତ୍ତମାନ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ର ଖୋଜାଖୋଜି ଜାରି ରହିଛି। ସୀତାକାନ୍ତଙ୍କୁ ସୁରକ୍ଷିତ ଭାବେ ଖୋଜି ବାହାର କରିବା ପାଇଁ ପରିବାର, ସମ୍ପର୍କୀୟ ଓ ଗ୍ରାମବାସୀ ଆଶା ରଖିଛନ୍ତି। ତାଙ୍କର ସନ୍ଧାନ ମିଳିବା ପରେ ହିଁ ଘଟଣାର ପ୍ରକୃତ ଚିତ୍ର ସ୍ପଷ୍ଟ ହୋଇପାରିବ।