ପୁରୀ ପୋଲିସକୁ ସଫଳତା,ବର୍ଗଲାରି ଗ୍ୟାଙ୍ଗ ଗିରଫ

ପୁରୀ ପୋଲିସକୁ ବଡ଼ ସଫଳତା। ପୋଲିସର ନିଦ ହଜାଇ ଦେଇଥିବା ବରଗ୍ଲାରି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୁରୀ ପୋଲିସ। ଗ୍ୟାଙ୍ଗର ଚାରିଜଣ ଅଭିଯୁକ୍ତଙ୍କୁ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ନିମାପଡ଼ା ରୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ୩୦ଟି ସୁନା ମୁଦି, ୭ଟି ସୁନା ଚେନ୍, ଡିଜିଟାଲ କ୍ୟାମେରା, ପ୍ରିଣ୍ଟର, ମନିଟର, ସ୍କ୍ରୁ ଡାଇଭର, ସ୍କ୍ରୁ ବାର ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଉଛନ୍ତି କାଜଲ୍ ଦାସ, ଶ୍ରୀକାନ୍ତ ସ୍ବାଇଁ, ଆଶିଷ ମଲ୍ଲିକ ଓ ଚିରଞ୍ଜିବି ଦାସ। ପୁରୀ ଏସପିଙ୍କ କନଫରେନ୍ସ ହଲ୍ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୁଶିଲ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ଅତିରିକ୍ତ ଏସପିଙ୍କ ସୂଚନା ଅନୁଯାୟୀ କାଜଲ ଦାସ ଓ ଶ୍ରୀକାନ୍ତ ସ୍ବାଇଁ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଡକାୟତି କରୁଥିଲେ। ବିଶେଷ କରି ଘରେ କେହି ନଥିବା ସମୟରେ ଏହି ଦୁଇ ଅଭିଯୁକ୍ତ ସୁଯୋଗ ଦେଖି ଘରମାନଙ୍କରେ କଳା କନା ବୁଲାଉଥିଲେ। ପରବର୍ତ୍ତୀ ସମୟରେ ଗହଣା ଦୋକାନକୁ ଯାଇ ଅଭିଯୁକ୍ତ ମାନେ ଚୋରି ସାମଗ୍ରୀକୁ ବିକ୍ରି କରୁଥିଲେ। ତେବେ ଏନେଇ ବିଭିନ୍ନ ଥାନାରେ ଅଭିଯୋଗ ହେବା ପରେ ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା। ତେବେ ଦୀର୍ଘ ପାଞ୍ଚମାସ ପରେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଛି ବୋଲି ଅତିରିକ୍ତ ଏସ ପି ସୁଶିଲ ମିଶ୍ର କହିଛନ୍ତି। ସମ୍ମିଳନୀ ରେ ତାଳବଣିଆ ଥାନାଧିକାରୀ ଗୀତାଞ୍ଜଳି ନାୟକ,ଟାଉନ ଥାନାଧିକାରୀ ଗୋକୁଳ ରଞ୍ଜନ ଦାସ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *