ପୁଅ ବିଜେଡିରେ ସାମିଲ ହେବା ପରେ ସୁର କହିଲେ…

ଅବୁଝା ପୁଅର ଜିଦି ଆଗରେ ହାର ମାନିଲା ପାଇକ ପୁଅ। ପାଇକ ରକ୍ତର ଡହକ ଶୀଥିଳ ହେଇଗଲା ମନୁଆ କୋଳପୋଛ ପୁଅ ପାଖରେ। ପୁଅକୁ ନିଜର ତଥା ନିଜ ଦଳର ନୀତି, ଆଦର୍ଶ, ସ୍ବାଭିମାନକୁ ବଞ୍ଚାଇ ରଖିବାକୁ ଶତ ଚେଷ୍ଟା କରିବା ପରେ ବି ଯେତେବେଳେ ହାରିଗଲେ, ସେତେବେଳେ ମୁଣ୍ଡ ନୁଆଇଁଲେ ପୁଅ ପାଖରେ।, ହେଲେ ନିଜର ସ୍ବାଭିମାନ ଉପରେ ଆଞ୍ଚ ଆଣିବାକୁ ଦେଲେନି। ସେଥିପାଇଁ ତ ପୁଅର ସମୃଦ୍ଧ ରାଜନୈତିକ ଭବିଷ୍ୟତ ପଥରେ କଣ୍ଟା ନ ହୋଇ ତାକୁ ଆଗେଇ ଯିବାକୁ ଦେଲେ। କିନ୍ତୁ ପୁଅ ବିରୋଧୀ ଗଡରେ ପ୍ରବେଶ କରିବା ପରେ ତାଙ୍କ ବିଶ୍ବସ୍ତତା ଉପରେ କେହି କାଳେ ଅଙ୍ଗୁଳି ନିର୍ଦ୍ଦେଶ କରିବ, ଏହି ଭୟରେ ଦଳ ଦେଇଥିବା ସବୁ କ୍ଷମତା, ଦାୟିତ୍ବରୁ ଦେଇଦେଲେ ଇସ୍ତଫା। ହଁ ଆଜ୍ଞା, ଆମେ କହୁଛୁ ଜଟଣୀ ବିଧାୟକ ସୁର ରାଉତରାୟଙ୍କ କଥା।

ଦୁଇ ପୁଅ ସିଦ୍ଧାର୍ଥ ଓ ମନ୍ମଥ କଂଗ୍ରେସରୁ ଲଢିବେ ବୋଲି କହିଆସୁଥିଲେ ସୁର। ଖାଲି ସେତିକି ନୁହେଁ, ପୁଅ ଉପରେ ତାଙ୍କର ଥିଲା ବଡ ଭରସା। ତାଙ୍କ କଥାକୁ ମନ୍ମଥ କଦାପି ଏଡାଇ ଦେବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରୁଥିଲେ ସୁର। ହେଲେ ମନ୍ମଥ ମାନିଲେନି ବାପାଙ୍କ ବାରଣ। ବାପା ଆଜୀବନ ଯେଉଁ ଦଳ ପାଇଁ କାମ କରିଥିଲେ, ସେହି ଦଳ ଆଜି ବୁଡିଯାଉଥିବାରୁ ସେଥିରେ ପାଦ ଥାପି ନିଜ ରାଜନୈତିକ ଜୀବନକୁ ଜଳାଞ୍ଜଳି ଦେବାକୁ ରୋକଠୋକ ମନା କରିଦେଲେ ମନ୍ମଥ। ଆଉ ଆଜି ବିଜେଡିରେ ସାମିଲ ହେଲେ। ସଙ୍ଗେ ସଙ୍ଗେ ଦଳପତି ତାଙ୍କୁ ଭୁବନେଶ୍ବର ଲୋକସଭା ଆସନରୁ ଠିଆ କରେଇଦେଲେ। ମନ୍ମଥ ଏଥିପାଇଁ ବହୁତ ଖୁସି । ହେଲେ ଯେତେବେଳେ ପୁଅ ବାପାଙ୍କ ହାତ ଛାଟି ଶଙ୍ଖ ଧରୁଲେ, ପାଇକ ବୁଢା ନିଜ ସ୍ବାଭିମାନକୁ ବଞ୍ଚାଇବାକୁ ଯାଇ ରାଜ୍ୟ କଂଗ୍ରେସ ସଭାପତି ଓ ପ୍ରଭାରୀଙ୍କୁ ଦେଇଦେଲେ ଦୁଇଟି ଇସ୍ତଫା ପତ୍ର। ଦଳ ତାଙ୍କ ନେତୃତ୍ବ ଓ ଜନପ୍ରିୟତା ଆଧାରରେ ବିଭିନ୍ନ କମିଟିରେ ସ୍ଥାନ ଦେଇଥିବାରୁ ଧନ୍ୟବାଦ ଦେବା ସହ ସାନ ପୁଅ ଦ୍ବାରା ତାଙ୍କ ଅନ୍ତରାତ୍ମା ବ୍ୟଥିତ ହୋଇଥିବା କହିଥିଲେ। ଦୁଃଖ, ପରିତାପକୁ ଇସ୍ତଫା ପତ୍ରରେ ଉପସ୍ଥାପନ କରିଦେଲେ ସୁର ।

ଏହି ଚିଠିର ପ୍ରତିଟି ଧାଡି କହୁଥିଲା ତାଙ୍କ ଅନ୍ତରର ବେଦନା। ଯାହାକୁ ନେଇ ଅନେକ ସୁରଙ୍କ ପାଇଁ ମନଦୁଃଖ କରିଛନ୍ତି। ସେପଟେ ଅନେକ କହିଛନ୍ତି, ଏହା ମନ୍ମଥଙ୍କ ଭବିଷ୍ୟତ ଗଠନ ଦିଗରେ ସୁରଙ୍କ ଏକ ରଣନୀତି। ସେ ଯାହା ହେଉ, ମନ୍ମଥ ବାପାଙ୍କ କଥାରୁ ବାହାରି ଯାଇଥିବା ବେଳେ ବଡପୁଅ କିନ୍ତୁ ବାପାଙ୍କ କଂଗ୍ରେସ ସାମ୍ରାଜ୍ୟକୁ ଆଗେଇ ନେବାକୁ ଅଣ୍ଟା ଭିଡିଛନ୍ତି। ଲୋକଙ୍କ ପାଖକୁ ଯାଉଛନ୍ତି, କଂଗ୍ରେସକୁ ପୁଣି ଥରେ କ୍ଷମତାକୁ ଆଣିବାକୁ ଜୀ ଜାନ ଲଗେଇ ଦେଇଛନ୍ତି। ଏବେ ଦେଖିବାକୁ ରହିଲା, ସୁର ତାଙ୍କ କଥା ଅନୁଯାୟୀ କଂଗ୍ରେସର ହେଇ ରହିବା ସହ ବଡପୁଅ ସିଦ୍ଧାର୍ଥଙ୍କ ପାଇଁ ପ୍ରଚାର କରିବେ, ନା ସାନ ପୁଅ ପାଇଁ।

Leave a Reply

Your email address will not be published. Required fields are marked *