ପାରାଦୀପ ବନ୍ଦର ପକ୍ଷରୁ ୫୫ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି। ଏହି ଅବସରରେ ଚେନ୍ନାଇ ରାଧା ଇଞ୍ଜିନିୟରିଂ କମ୍ପାନୀ ତରଫରୁ ଆୟୋଜିତ ପଦଯାତ୍ରାକୁ ପାରାଦ୍ବୀପ ବନ୍ଦର ଅଧ୍ୟକ୍ଷ ପି.ଏଲ. ହରନାଦ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ଏହି ସଚେତନତା ପଦଯାତ୍ରା ପ୍ରଶାସନିକ ଭବନରୁ ବାହାରି ବନ୍ଦରର ୪ ନମ୍ବର ଫାଟକ ନିକଟରେ ପହଞ୍ଚିଥିଲା।ବନ୍ଦର ସୁରକ୍ଷା,ସଠିକ୍ ତାଲିମ, ସୁରକ୍ଷା ପ୍ରତି କର୍ମଚାରୀଙ୍କ ମନୋଭାବ ବଦଳାଇବା ଏବଂ ଉପଯୁକ୍ତ ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ ଯୋଗାଇବା ଉପରେ ବନ୍ଦର ପ୍ରଶାସନ ସର୍ବଦା ଧ୍ୟାନ ଦେଇଆସିଛି। ଆଗକୁ ବନ୍ଦର ମଧ୍ୟରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଓ ଶ୍ରମିକ ମାନଙ୍କୁ ସୁରକ୍ଷା ଉପରେ ତାଲିମ ଦିଆଯିବ। ସୁରକ୍ଷା ତାଲିମ ନେଇ ନଥିବା କର୍ମଚାରୀ ବା ଶ୍ରମିକ ମାନଙ୍କୁ ବନ୍ଦର ମଧ୍ୟକୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ବନ୍ଦର ଅଧ୍ୟକ୍ଷ ପି.ଏଲ୍.ହରାନାଦ୍ ପ୍ରକାଶ କରିଛନ୍ତି ।
ଏହାଛଡା ପାରାଦୀପ ବନ୍ଦର ପଣ୍ୟ କାରବାର କ୍ଷେତ୍ରରେ ଦେଶର ସର୍ବ ବୃହତ୍ତମ ବନ୍ଦର ଭାବେ ସୁରକ୍ଷା ଉପରେ ସବୁ ସମୟରେ ଧ୍ୟାନ ଦେଇ ଆସୁଛି। ଏହି ସୁରକ୍ଷା ସପ୍ତାହ ପାଳନ ଅବସରରେ ଶପଥ ପାଠ କରିବା ସହିତ ସବୁ ସମୟରେ ପାରାଦୀପ ବନ୍ଦର ସୁରକ୍ଷା ପ୍ରତି ସଚେତନତା କାର୍ଯ୍ୟକ୍ରମ କରି ଆସୁଛି। ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମରେ ବନ୍ଦର ଅଧ୍ୟକ୍ଷ ପିଏଲ୍ ହାରାନାଦ୍ ଙ୍କ ସମେତ ବନ୍ଦରର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମରେ ଚେନ୍ନାଇ ରାଧା ଇଞ୍ଜିନିୟରିଂ କମ୍ପାନୀ ଅଧିକାରୀ ଓ କର୍ମଚାରୀ ମାନଙ୍କ ସମେତ ବନ୍ଦର କର୍ମଚାରୀ, ଏବଂ ବନ୍ଦର ବ୍ୟବହାରକାରୀ ସଂସ୍ଥା ଙ୍କୁ ନେଇ ଡକ୍ ସୁରକ୍ଷା ତାଲିମ କର୍ମଶାଳା ଆୟୋଜନ କରାଯାଇଛି। ଆସନ୍ତା ଶୁକ୍ରବାର ଏହା ଉଦଯାପିତ ହେବ ବୋଲି ଚେନ୍ନାଇ ରାଧା ଇଞ୍ଜିନିୟରିଂ ର ଅଧିକାରୀ ଏ. ରମେଶ ପ୍ରକାଶ କରିଛନ୍ତି।