
ପିଲାଙ୍କ ପାଇଁ ନୂଆ ନିୟମ : ପଞ୍ଚମ ଶ୍ରେଣୀ ଯାଏଁ ମାତୃଭାଷା , ୧୦ ଦିନ ବ୍ୟାଗ୍ମୁକ୍ତ ଶିକ୍ଷା
ନୂଆ ଶିକ୍ଷାନୀତି ନିୟମନୁଯାୟୀ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷାଦାନକୁ ବାଧ୍ୟତାମୂଳକ କରାଯିବ | ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାଙ୍କ ପାଇଁ ୧୦ ଦିନିଆ ବ୍ୟାଗ୍ମୁକ୍ତ ଶିକ୍ଷାଦାନ ବ୍ୟବସ୍ଥା ମଧ୍ୟ ରହିବ। ବିଦ୍ୟାଳୟ ସ୍ତରୀୟ ଶିକ୍ଷା ପାଠ୍ୟକ୍ରମର ସଂସ୍କାର ଓ ପାଠ୍ୟପୁସ୍ତକ ବିକାଶ ନେଇ ଆୟୋଜିତ ସମୀକ୍ଷା ବୈଠକରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୨୦୨୬-୨୭ ଶିକ୍ଷାବର୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକ ଆରମ୍ଭ କରାଯିବ। ଏହି ପାଠ୍ୟପୁସ୍ତକଗୁଡ଼ିକରେ ‘ଓଡ଼ିଶା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା’ ଉପରେ ଶିକ୍ଷା ରହିବ । ଏଥିପାଇଁ ରାଜ୍ୟର ପ୍ରାୟ ୧.୬୭ ଲକ୍ଷ ଶିକ୍ଷକଙ୍କୁ ନୂତନ ପାଠ୍ୟକ୍ରମରେ ଦକ୍ଷ କରିବା ପାଇଁ ବିଶେଷ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯିବ |
ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷାଦାନକୁ ସୁଦୃଢ଼ କରାଯିବା କାରଣ ପିଲାମାନଙ୍କର ମୌଳିକ ଶିକ୍ଷାର ମୂଳଦୁଆ ଠିକ ରହିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି |
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ , ଜାତୀୟ ଶିକ୍ଷା ନୀତି–୨୦୨୦ ଅଧୀନରେ ୫୫ଟି ନୂତନ ଏନ୍ସିଇଆରଟି ପାଠ୍ୟପୁସ୍ତକକୁ ଓଡ଼ିଆରେ ଅନୁବାଦ କରାଯାଇଛି | ଏଥିସହ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଓଡ଼ିଶାରେ ୩ଟି ନୂତନ ବିଷୟ ଯୋଡ଼ା ଯାଇଛି | ଯାହାକି କଳା ଶିକ୍ଷା, ଶାରୀରିକ ଶିକ୍ଷା ଓ ସୁସ୍ଥତା, ତାହା ସହ ଧନ୍ଦାମୂଳକ ଶିକ୍ଷା | ସେହିପରି ଜନ୍ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁମାନଙ୍କ ପୋଷଣ ଓ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ଏହି ଶିକ୍ଷାନୀତିରେ ଗୁରୁତ୍ୱ ଦିଆଯାଇଛି।
ଏହି ସମୀକ୍ଷା ବୈଠକରେ ରାଜ୍ୟର ୩୦ଟି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ, ସମସ୍ତ ଜିଲ୍ଲା ଡାଏଟ୍, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷମାନେ ଆଭାସୀ ମାଧ୍ୟମରେ ସାମିଲ ହୋଇଥିଲେ |