ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ବାରଙ୍ଗ, କବିସୂର୍ଯ୍ୟନଗର ଓ ବାଲିଅନ୍ତା ଘଟଣା ପରେ ଏବେ କଟକ ଜିଲ୍ଲାର ଭଦ୍ରେଶ୍ୱର ଥାନାକୁ ନେଇ ଆସିଛି ସାଙ୍ଘାତିକ ଅଭିଯୋଗ। ନ୍ୟାୟ ନମିଳିବାରୁ ଜଣେ ଯୁବକଙ୍କ ମୃତଦେହକୁ ଥାନା ନିକଟରେ ରଖି ପରିବାର ଓ ଗ୍ରାମବାସୀ ଦୀର୍ଘ ସମୟ ଧରି ପ୍ରତିବାଦ କରିଥିଲେ। ଏହି ସମୟରେ ପୋଲିସ ଓ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ମୃତ ଯୁବକ ହେଲେ ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ପୋଡାମରାଇ ଗ୍ରାମର ଫକୀର ସେଠୀଙ୍କ ୨୦ ବର୍ଷୀୟ ପୁଅ ଦୀପକ ସେଠୀ। ପରିବାରର ଆର୍ଥିକ ଅବସ୍ଥା ଦୁର୍ବଳ ଥିବାରୁ ଦୀପକ କାମ ଖୋଜିବା ପାଇଁ ବିଶାଖାପାଟଣା ଯାଇଥିଲେ। ଅଭିଯୋଗ ଅନୁସାରେ, ସ୍ଥାନୀୟ ଅଞ୍ଚଳର କିଛି ଯୁବକ ତାଙ୍କୁ ମାସିକ ୨୦ ହଜାର ଟଙ୍କା ଦରମାର ଲୋଭ ଦେଖାଇ ଦାଦନ ଶ୍ରମିକ ଭାବେ ସେଠାକୁ ନେଇଯାଇଥିଲେ।
ପରିବାରର ଅଭିଯୋଗ, ବିଶାଖାପାଟଣାରେ ଦୀପକଙ୍କୁ ରୋଷେଇ କାମ କରିବାକୁ ବାଧ୍ୟ କରାଯାଉଥିଲା। ସେ ଏଥିରେ ଅସମ୍ମତି ପ୍ରକାଶ କରିବାରୁ ତାଙ୍କୁ ନିର୍ଯାତନା ଓ ମାରପିଟ କରାଯାଇଥିଲା। ଦୀପକ ଫୋନ୍ ଯୋଗେ ନିଜ ପରିବାରକୁ ଏହି ସମସ୍ତ ଘଟଣା ସମ୍ପର୍କରେ ଜଣାଇଥିଲେ।ଗତ ୪ ମଇ ୨୦୨୬ ତାରିଖରେ ଦୀପକଙ୍କୁ ଗୁରୁତର ଭାବେ ଆକ୍ରମଣ କରାଯାଇଥିବା ଏବଂ ପରେ ତାଙ୍କୁ ଏକ ବାଲକୋନିରୁ ତଳକୁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ପରିବାର ଲୋକେ ବିଶାଖାପାଟଣା ଯାଇ ଦୀପକଙ୍କୁ ଉଦ୍ଧାର କରି କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ସମୟରେ ଦୀପକଙ୍କ ଶରୀରରେ ଆକ୍ରମଣର ଚିହ୍ନ ଥିବା ଜଣାପଡ଼ିଥିଲା ବୋଲି ପରିବାର ପକ୍ଷରୁ କୁହାଯାଇଛି। ଏହାପରେ ଦୀପକଙ୍କ ବଡ଼ ଭାଇ ଭଦ୍ରେଶ୍ୱର ଥାନାରେ ଏତଲା ଦେଇଥିଲେ। କିନ୍ତୁ ଅଭିଯୋଗ ରହିଛି ଯେ, ଥାନା ପକ୍ଷରୁ ଘଟଣାର କୌଣସି ସକ୍ରିୟ ତଦନ୍ତ କରାଯାଇନଥିଲା ଏବଂ ପରିବାରକୁ ବିଶାଖାପାଟଣା ଯିବାକୁ କୁହାଯାଇଥିଲା। ଏହାରି ମଧ୍ୟରେ ପ୍ରାୟ ଏକ ମାସ ଧରି ଜୀବନ ସହ ସଂଘର୍ଷ କରିବା ପରେ ଦୀପକଙ୍କ ମୃତ୍ୟୁ ହୋଇଥିଲା।ପୁଅର ମୃତ୍ୟୁ ପରେ ନ୍ୟାୟ ଦାବିରେ ପରିବାର ଲୋକେ ଓ ଗ୍ରାମବାସୀ ମୃତଦେହକୁ ନେଇ ଭଦ୍ରେଶ୍ୱର ଥାନା ଆଗରେ ଧାରଣା ଦେଇଥିଲେ। ଥାନା ନିକଟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା ଏବଂ ପୋଲିସ ସହ ପ୍ରତିବାଦକାରୀଙ୍କ ଧସ୍ତାଧସ୍ତି ହୋଇଥିଲା। ପରିବାର ଅଭିଯୋଗ କରିଥିଲେ ଯେ, ସେମାନେ ଥାନାକୁ ଆସୁଥିବା ବେଳେ ମଧ୍ୟ ରାସ୍ତାରେ ପିସିଆର ଭ୍ୟାନ୍ ଦ୍ୱାରା ଅଟକାଯାଇଥିଲେ।
ଘଟଣାସ୍ଥଳରେ ମାହାଙ୍ଗା, ନେମାଳ, ସାଲେପୁର ଓ ନିଶ୍ଚିନ୍ତକୋଇଲି ଥାନା ପୋଲିସ ସହ ବହୁ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା। ପ୍ରାୟ ୫ରୁ ୭ ଘଣ୍ଟା ଧରି ଚାଲିଥିବା ଏହି ଆନ୍ଦୋଳନ ପରେ ରାତି ପ୍ରାୟ ୧୧ଟା ସମୟରେ କଟକ ଅତିରିକ୍ତ ଏସପି ପ୍ରଦୀପ ସାହୁ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ।ଅତିରିକ୍ତ ଏସପି ୧୦ ଦିନ ମଧ୍ୟରେ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସରକାରୀ ସ୍ତରରେ କ୍ଷତିପୂରଣ ପାଇଁ ଉଦ୍ୟମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ପରିବାର ଓ ଗ୍ରାମବାସୀ ଧାରଣା ପ୍ରତ୍ୟାହାର କରିଥିଲେ।ଏହି ଘଟଣା ପୁଣିଥରେ ପୋଲିସର କାର୍ଯ୍ୟଶୈଳୀ, ଅଭିଯୋଗର ତଦନ୍ତ ଏବଂ ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ନେଇ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି। ଏବେ ସମସ୍ତଙ୍କ ନଜର ରହିଛି ପୋଲିସର ତଦନ୍ତ ଓ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ।