ନିଶା କବଳରେ ଯୁବଗୋଷ୍ଠୀ

ଭାରତର ପ୍ରକୃତ ଶକ୍ତି ହେଉଛନ୍ତି ଏହାର ଯୁବଗୋଷ୍ଠୀ। ହେଲେ ଏହି ମେରୁଦଣ୍ଡକୁ ଦୁର୍ବଳ କରି ଦେଶକୁ କ୍ଷତି ପହଞ୍ଚାଇବା ପାଇଁ ବାହ୍ୟ ଶକ୍ତିମାନେ ଏବେ ଅଣ୍ଟା ଭିଡ଼ିଛନ୍ତି। ପଡ଼ୋଶୀ ଦେଶଗୁଡ଼ିକରୁ ଆସୁଥିବା ଅବୈଧ ଡ୍ରଗ୍ସ ଭାରତୀୟ ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ କରିବା ପାଇଁ ଏକ ସୁଚିନ୍ତିତ ଯୋଜନା ବୋଲି ମତ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ, ସାମାଜିକ ସଂଗଠନ ‘ୱାଦା’ ପକ୍ଷରୁ ଯୁବଗୋଷ୍ଠୀଙ୍କୁ ସଚେତନ କରିବା ପାଇଁ ଏକ ସ୍ୱତନ୍ତ୍ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ଅବସରରେ ସଂଗଠନର ମୁଖ୍ୟ ଗତୀକୃଷ୍ଣ ଶତପଥୀଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଓ ଅବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ ଦେଇ ଶ୍ରୀ ଶତପଥୀ କହିଛନ୍ତି ଯେ: “ବାହ୍ୟ ଶକ୍ତିମାନେ ଆମରି ଟଙ୍କାରେ ଆମ ଯୁବପିଢ଼ିଙ୍କୁ ନିଶାଗ୍ରସ୍ତ କରି ଆର୍ଥିକ ଲାଭ କରୁଛନ୍ତି ଏବଂ ସେହି ଅର୍ଥକୁ ପୁଣି ଆମ ବିରୋଧରେ ପ୍ରୟୋଗ କରୁଛନ୍ତି। ତେଣୁ ଯୁବଗୋଷ୍ଠୀଙ୍କୁ ରାଷ୍ଟ୍ରୀୟ ହିତ ସମ୍ପର୍କରେ ଅବଗତ କରାଇବା ସହ ନିଶା କବଳରୁ ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ରକ୍ଷା କରିବା ଆମର ମୁଖ୍ୟ ଲକ୍ଷ୍ୟ।”

ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂଗଠନର ସଦସ୍ୟ ଓ ସ୍ଥାନୀୟ ଯୁବକମାନେ ଡ୍ରଗ୍ସର କୁପ୍ରଭାବ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବର୍ତ୍ତମାନ ସଂଗଠନ ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଉଛି। ଆଗାମୀ ଦିନରେ ବିଭିନ୍ନ ଗ୍ରାମାଞ୍ଚଳରେ ଯୁବଗୋଷ୍ଠୀଙ୍କୁ ଏକତ୍ରିତ କରି ସଚେତନତା ସୃଷ୍ଟି କରିବାକୁ ସଂଗଠନ ଲକ୍ଷ୍ୟ ରଖିଛି। ନିଶାମୁକ୍ତ ସମାଜ ଗଠନ ପାଇଁ ‘ୱାଦା’ ସଂଗଠନର ଏହି ପ୍ରୟାସକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି।