ଦେଢ଼ଶୁର ସାଜିଲା ଅସୁର

ଦେଢ଼ଶୁରଙ୍କ କୋଦାଳ ଚୋଟରେ ANM ଥିବା ଭାଇବୋହୂଙ୍କ ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲା କଲ୍ୟାଣିସଂପୁର ଥାନା ଅନ୍ତର୍ଗତ ଡେପାଗୁଡ଼ା ଗାଁରେ ଘଟିଛି ଏହି ଘଟଣା । ତେବେ ମୃତ ଭାଇବୋହୂ ହେଉଛନ୍ତି ସୁରେନ୍ଦ୍ରୀ ସାରକା ବୋଲି ଜଣା ପଡିଛି ।

ସୂଚନାନୁସାରେ, ପୂର୍ବ ଜମିଜମାକୁ ନେଇ ଉଭୟ ପରିବାର ମଧ୍ୟରେ କଳହ ଲାଗି ରହିଥିଲା । କଳହକୁ ନେଇ ଶୁକ୍ରବାର ସକାଳେ ସୁରେନ୍ଦ୍ରୀ ସାରକା ରୋଷେଇ କରୁଥିବା ସମୟରେ ତାଙ୍କୁ ଏକ କୋଦାଳ ସାହାଯ୍ୟରେ ମୁଣ୍ଡକୁ ଆକ୍ରମଣ କରିଥିଲେ ଦେଢ଼ଶୁର ପ୍ରେପାକା ଲତରା । ଏନେଇ ଖବର ପାଇ ସୁରେନ୍ଦ୍ରୀଙ୍କ ସ୍ବାମୀ ପ୍ରେପାକା ବୋଇ ମାଝୀ ତାଙ୍କୁ କଲ୍ୟାଣସିଂପୁର ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ସେଠାରୁ ତାଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପହଂଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେ କଲ୍ୟାଣସିଂପୁର ଚିକିତ୍ସାଳୟରେ ଦୀର୍ଘ ୮ବର୍ଷ ହେବ ଏଏନ୍‌ଏମ୍‌ ଭାବେ କାର୍ଯ୍ୟ କରୁଥିଲେ । ଅନ୍ୟପଟେ ଅଭିଯୁକ୍ତ ପ୍ରେପାକା ଲତରା କଲ୍ୟାଣସିଂପୁର ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଗାଁରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ସମ୍ପର୍କରେ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।