ଟି-୨୦ ବିଶ୍ୱକପ୍‌ ପରେ ପାକିସ୍ତାନ ଦଳରେ ନୂଆ ବିବାଦ, ହୋଟେଲ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଟେଣ୍ଟି-୨୦ ବିଶ୍ୱକପ୍‌ରୁ ବିଦାୟ ପରେ ପାକିସ୍ତାନ କ୍ରିକେଟ୍‌ ଦଳ ଉପରେ ବିବାଦର ଛାୟା ପଡ଼ି ରହିଛି। ଟୁର୍ଣ୍ଣାମେଣ୍ଟରେ ଦଳର ଖରାପ ପ୍ରଦର୍ଶନ ପାଇଁ ସେମିଫାଇନାଲ୍‌କୁ ପହଞ୍ଚି ପାରିନଥିବାରୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଦଳର ସମସ୍ତ ଖେଳାଳିଙ୍କୁ ୧୮,୦୦୦ ଆମେରିକୀୟ ଡଲାର, ଅର୍ଥାତ୍ ପ୍ରାୟ ୧୭ ଲକ୍ଷ ଭାରତୀୟ ଟଙ୍କା ଜରିମାନା କରିଥିଲା। ଏହି ଘଟଣା ଶାନ୍ତ ହେବା ପୂର୍ବରୁ ଏବେ ଆଉ ଗୋଟିଏ ବିବାଦ ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ପାକିସ୍ତାନ ଦଳର ଜଣେ ଖେଳାଳି ଶ୍ରୀଲଙ୍କାର କାଣ୍ଡିରେ ଥିବା ଗୋଟିଏ ହୋଟେଲର ଜଣେ ମହିଳା କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ହୋଟେଲ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲେ ମଧ୍ୟ ପରେ ଖେଳାଳି ଜଣଙ୍କ ଜରିମାନା ଦେଇ ମାମଲାରୁ ମୁକୁଳିଥିବା ଖବର ମିଳିଛି।

ଅନୁମାନ କରାଯାଉଛି ଯେ, ପାକିସ୍ତାନ ଦଳର ଶେଷ ସୁପର୍-୮ ମ୍ୟାଚ୍‌ ପରେ ଏହି ଘଟଣା ଘଟିଥିଲା। ସେହିଦିନଠାରୁ ଦଳ ଭିତରେ ଏହି ଘଟଣାକୁ ନେଇ ନୀରବ ଆଲୋଚନା ଚାଲିଥିବା କୁହାଯାଉଛି। ଯଦିଓ ଏପର୍ଯ୍ୟନ୍ତ ଦଳ କିମ୍ବା ପାକିସ୍ତାନ କ୍ରିକେଟ୍‌ ବୋର୍ଡ ପକ୍ଷରୁ ଏନେଇ ଆଧିକାରିକ ଭାବେ କୌଣସି ମତାମତ ଦିଆଯାଇନି।

ଟେଣ୍ଟି-୨୦ ବିଶ୍ୱକପ୍‌ରେ ନିରାଶାଜନକ ପ୍ରଦର୍ଶନ ପରେ ଏପରି ବିବାଦ ସାମ୍ନାକୁ ଆସିବା ପାକିସ୍ତାନ କ୍ରିକେଟ୍‌ ଦଳ ପାଇଁ ଆଉ ଏକ ଅସୁବିଧାଜନକ ପରିସ୍ଥିତି ସୃଷ୍ଟି କରିଛି।