ଜନ୍ମଦିନ ପାଳିଲେ ନାହିଁ ମୁଖ୍ୟମନ୍ତ୍ରୀ

ଆଜି ହେଉଛି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ତେବେ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳିବେ ନାହିଁ କହିଛନ୍ତି। ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଛି। ଯେଉଁ କାରଣରୁ ଚଳିତ ବର୍ଷ ସେ ଜନ୍ମଦିନ ପାଳନ କରିବେ ନାହିଁ। ଜନ୍ମଦିନ ଅବସରରେ ନବୀନ ନିବାସକୁ ଯାଇ ଶୁଭେଚ୍ଛା ନ ଜଣାଇବାକୁ ଶୁଭେଚ୍ଛୁଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳନ ନ କରିବା ଆଗରୁ ମଧ୍ୟ ଦେଖିବାକୁ ମିଳିଛି। ବାତ୍ୟା ଏବଂ ଦୁର୍ବିପାକ ଭଳି ସ୍ଥିତି ଉପୁଜି ଥିବାବେଳେ ମଧ୍ୟ ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳନ କରିନଥିଲେ।

ଅପରାଜେୟ, ଅଦ୍ବିତୀୟ ଏବଂ ଅନନ୍ୟ ରାଜନେତା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଲୋକପ୍ରିୟତାର ଶୀର୍ଷରେ ରହିଥିବା ନବୀନ ସଫଳତାର ଗୋଟିକ ପରେ ଗୋଟିଏ ପାହାଚ ଚଢ଼ି ଚାଲିଛନ୍ତି। ଓଡ଼ିଶାରେ କ୍ରମାଗତ ୫ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରି ସେ ରେକର୍ଡ ସୃଷ୍ଟି କରିଛନ୍ତି। ଏପରିକି ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହିବାରେ ସେ ଏବେ ଦେଶରେ ଦ୍ବିତୀୟ।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ପଟ୍ଟନାୟକ ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ବିଗତ ୨୩ବର୍ଷ ଧରି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ରାଜନୀତିରେ ଏକଦା ଅପରିଚିତ ଥିବା ଚେହେରା ସମଗ୍ର ଦେଶରେ ସ୍ବତନ୍ତ୍ର ପରିଚିତି ହାସଲ କରିଛି।

Leave a Reply

Your email address will not be published. Required fields are marked *