ଖରାର ତୀବ୍ରତାକୁ ଅଗ୍ରାହ୍ୟ କରି ରାସ୍ତା ଉପରେ ଠିଆ ହୋଇଥିବା ଶତାଧିକ ଲୋକଙ୍କ ଗୁହାରି ଶୁଣିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। କେନ୍ଦୁଝର ଜିଲ୍ଲାର ତିନି ଦିନିଆ ଗସ୍ତର ଦ୍ୱିତୀୟ ଦିନରେ ଏହି ଘଟଣା ଦେଖିବାକୁ ମିଳିଛି, ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି।ରବିବାର ଦିନ ମୁଖ୍ୟମନ୍ତ୍ରୀ ଆନନ୍ଦପୁରରେ ଆୟୋଜିତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସର୍କିଟ ହାଉସରୁ ବାହାରୁଥିବା ସମୟରେ ବାହାରେ ଶହ ଶହ ଲୋକଙ୍କୁ ଖରାରେ ଠିଆ ହୋଇଥିବା ଦେଖିଥିଲେ। ଲୋକମାନେ ନିଜ ନିଜ ଅଭିଯୋଗ ଓ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ପହଞ୍ଚିବାକୁ ଅପେକ୍ଷା କରୁଥିଲେ। ଏହା ଦେଖି ସେ ନିଜେ ଖରାକୁ ଅବହେଳା କରି ସେମାନଙ୍କ ମଧ୍ୟରେ ପହଞ୍ଚିଥିଲେ।
ମୁଖ୍ୟମନ୍ତ୍ରୀ ଲୋକମାନଙ୍କ ସହ ସରାସରି କଥା ହୋଇ ସେମାନଙ୍କ ଅଭିଯୋଗ ଶୁଣିଥିଲେ ଏବଂ ଲେଖିତ ଅଭିଯୋଗ ପତ୍ର ମଧ୍ୟ ଗ୍ରହଣ କରିଥିଲେ। ସେହି ସମୟରେ ଉପସ୍ଥିତ ଜିଲ୍ଲା ପ୍ରଶାସନଙ୍କୁ ତୁରନ୍ତ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଲୋକମାନଙ୍କ ମନରେ ଆଶା ଓ ଆସ୍ଥା ସୃଷ୍ଟି କରିଛି।
ଏହା ସହିତ ସେ ଜିଲ୍ଲାର ବିଭିନ୍ନ ସଂଗଠନର ସଦସ୍ୟମାନଙ୍କ ସହ ଆଲୋଚନା କରି ସ୍ଥାନୀୟ ସମସ୍ୟା ଓ ଉନ୍ନତିମୂଳକ କାମକୁ ନେଇ ମତାମତ ଗ୍ରହଣ କରିଥିଲେ। ସାଧାରଣ ଲୋକଙ୍କ ସମସ୍ୟାକୁ ସରାସରି ଶୁଣିବା ଓ ତାହାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବା ମୁଖ୍ୟମନ୍ତ୍ରୀଙ୍କ ଏହି ମାନବିକ ମୁହଁକୁ ପ୍ରକାଶ କରିଛି।
ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ପ୍ରଶଂସାର ଝରି ପଡ଼ୁଛି, ଏବଂ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ସହଜ ଓ ସମ୍ବେଦନଶୀଳ ବ୍ୟବହାରକୁ ସ୍ୱାଗତ କରୁଛନ୍ତି।