
ଚିଲିକା ହ୍ରଦରେ ବାର୍ଷିକ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଏଥିପାଇଁ ସମଗ୍ର ଚିଲିକାରେ ୨୨ଟି ଟିମ୍ ଓ ପ୍ରାୟ ୧୩୦ ଜଣ ସଦସ୍ୟ ନିୟୋଜିତ ହୋଇଛନ୍ତି। ଭାରତୀୟ ବନ ବିଭାଗର ବରିଷ୍ଠ ଅଧିକାରୀ ଓ ଓଡ଼ିଶା ଜୈବ ବିବିଧତା ବୋର୍ଡର ବୈଜ୍ଞାନିକମାନେ ଗଣନାରେ ସାମିଲ ଅଛନ୍ତି। ବାଇନାକୁଲାର, କ୍ୟାମେରା ଓ GPS ସାହାଯ୍ୟରେ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଗଣନା ଚାଲିବ।
ଅଧିକ ଶୀତ ପଡ଼ିଥିବାରୁ ଏବର୍ଷ ଚିଲିକାରେ ବିଦେଶୀ ପକ୍ଷୀ ସଂଖ୍ୟା ବୃଦ୍ଧି ପାଉଥିବାର ଆଶା କରାଯାଉଛି। ସାତପଡ଼ା, ଟାଙ୍ଗୀ, ବାଲୁଗାଁ, ରମ୍ଭା ଓ ଚିଲିକା ନୂଆପଡ଼ା ଅଞ୍ଚଳରେ ଟିମ୍ଗୁଡ଼ିକ ଗଣନା କରୁଛନ୍ତି। ଗତବର୍ଷ ଚିଲିକାରେ ୧୧ ଲକ୍ଷରୁ ଅଧିକ ପକ୍ଷୀ ଗଣନା ହୋଇଥିଲା।
ଚିଲିକା ସହିତ ହୀରାକୁଦ, ଶିମିଳିପାଳ, ଭିତରକନିକା, ଗହୀରମଥା ଆଦି ଆଦ୍ରଭୂମିରେ ମଧ୍ୟ ପକ୍ଷୀ ଗଣନା ଆରମ୍ଭ ହୋଇଛି | ହୀରାକୁଦ ଜଳଭଣ୍ଡାରରେ ୩୨ଟି ଡଙ୍ଗାରେ ୯୨ ଜଣ ସଦସ୍ୟ ଗଣନା କରୁଥିବା ବେଳେ, ଭିତରକନିକାରେ ୧୮ଟି ଟିମ୍ ନିୟୋଜିତ ହୋଇଛନ୍ତି | ଗଣନା ରିପୋର୍ଟ ଆସିବା ପରେ ଚଳିତ ବର୍ଷ ପକ୍ଷୀ ପ୍ରଜାତି ଓ ସଂଖ୍ୟା ସ୍ପଷ୍ଟ ହେବ।