ଘୂର୍ଣ୍ଣିଝଡ଼ ତାଣ୍ଡବରେ 90ରୁ ଅଧିକ ମୃତ, ଶତାଧିକ ଆହତ

ଉତ୍ତରପ୍ରଦେଶରେ ବୁଧବାର ସନ୍ଧ୍ୟାରେ ଆସିଥିବା କାଳବୈଶାଖୀ ଓ ଭୟଙ୍କର ଘୂର୍ଣ୍ଣିଝଡ଼ ପ୍ରକୃତିର ଭୟଙ୍କର ତାଣ୍ଡବ ସୃଷ୍ଟି କରିଛି। ହଠାତ୍ ପାଗ ପରିବର୍ତ୍ତନ ସହ ପ୍ରବଳ ବେଗରେ ପବନ ବହିବାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ 90ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଓ ଅନେକ ଆହତ ହୋଇଛନ୍ତି। ଅନେକ ସ୍ଥାନରେ ଘରର କାନ୍ଥ ଭୁଶୁଡ଼ି ପଡ଼ି ଲୋକମାନେ ଭଗ୍ନାବଶେଷ ତଳେ ଚାପି ହୋଇ ପ୍ରାଣ ହରାଇଛନ୍ତି। ପ୍ରବଳ ପବନ ଯୋଗୁଁ ଶତାଧିକ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି, ଯାହା ଫଳରେ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହୋଇଛି। ଅନେକ ଗାଁ ଓ ସହର ଅଞ୍ଚଳ ଅନ୍ଧକାରରେ ଡୁବିଯାଇଛି ।

ସୋସିଆଲ ମିଡିଆରେ ଝଡ଼ ସମୟର ଭୟଙ୍କର ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ପବନର ତୀବ୍ରତା ଏତେ ଅଧିକ ଥିଲା ଯେ ବଡ଼ ବଡ଼ ଗଛ ତାସ ପତ୍ର ପରି ଭାଙ୍ଗି ପଡ଼ୁଥିବା ଦେଖାଯାଉଛି ଏବଂ କିଛି ସ୍ଥାନରେ ଲୋକମାନେ ପବନରେ ଉଠିଯାଉଥିବା ମଧ୍ୟ ଦୃଶ୍ୟମାନ ହୋଇଛି। ସରକାର ଏହି ଘଟଣାକୁ ଗଭୀର ଶୋକ ପ୍ରକାଶ କରି ମୃତକଙ୍କ ପରିବାର ପାଇଁ 4 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଝଡ଼ ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିସ୍ଥିତି ରହିଛି। ସାଧାରଣ ଜନତା ସୁରକ୍ଷିତ ସ୍ଥାନରେ ରହି ଆବହାଓ ପରିସ୍ଥିତି ସାଧାରଣ ହେବାକୁ ଅପେକ୍ଷା କରୁଛନ୍ତି ।