ରାଜ୍ୟରେ ଗ୍ୟାସ ସଂକଟ ନେଇ ଗଭୀର ଚିନ୍ତା ବଢୁଛି। ଗ୍ୟାସ ଯୋଗାଣରେ ଅସୁବିଧା ଓ କଳାବଜାରୀ ଅଭିଯୋଗରେ ସାଧାରଣ ଗ୍ରାହକ ଓ ବ୍ୟବସାୟୀ ଦୁହେଁ ହନ୍ତସନ୍ତ ହେଉଛନ୍ତି।

ସୂଚନା ଅନୁଯାୟୀ, ଗ୍ୟାସ ଅଭାବକୁ ନେଇ ବଜାରରେ କଳାବଜାରୀ ଚରମ ସୀମାକୁ ପହଞ୍ଚିଛି। ସାଧାରଣ ଦରରେ ମିଳିବା ଉଚିତ ଥିବା ଗ୍ୟାସ ସିଲିଣ୍ଡର ଏବେ ୩ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ଅଭିଯୋଗ ଉଠିଛି। ଏହାର ସିଧାସଳଖ ପ୍ରଭାବ ଛୋଟ ହୋଟେଲ, ଉଠା ଜଳଖିଆ ଦୋକାନ ଓ ଦୈନିକ ଖାଦ୍ୟ ବ୍ୟବସାୟ ଉପରେ ପଡୁଛି। ଅନେକ ବ୍ୟବସାୟୀ ରେଟ୍ ବଢାଇବାକୁ ବାଧ୍ୟ ହୋଇଛନ୍ତି, ଆଉ କିଛି ଦୋକାନ ବନ୍ଦ କରିବା ସ୍ଥିତିରେ ପହଞ୍ଚିଛନ୍ତି। କେତେକ ହୋଟେଲ ମାଲିକ ରୋଜଗାର ଚାଲୁ ରଖିବା ପାଇଁ କାଠ ଓ କୋଇଲା ଉପରେ ଭରସା କରୁଛନ୍ତି।

ସେପଟେ, ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ନେଇ ତୈଳ ଓ ଗ୍ୟାସ ଯୋଗାଣରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ମଧ୍ୟ ଆସୁଛି। ଏହି ପରିସ୍ଥିତିକୁ ନେଇ କଳାବଜାରୀମାନେ ସୁଯୋଗ ନେଇ ଅତ୍ୟଧିକ ଦରରେ ଗ୍ୟାସ ବିକ୍ରି କରୁଛନ୍ତି ବୋଲି ଅଭିଯୋଗ ହେଉଛି। ଏହି ସମୟରେ କଟକରେ ବେଆଇନ ଗ୍ୟାସ ରିଫିଲିଂ ଓ ଅପମିଶ୍ରଣ ମାମଲାରେ ପୋଲିସ ଚଢ଼ାଉ କରି ଜଣେ ଡେଲିଭରୀ କର୍ମଚାରୀଙ୍କୁ ଗିରଫ କରିଛି। ଗୁପ୍ତ ସୂଚନା ଆଧାରରେ ବିଡାନାସି ଥାନା ପୋଲିସ ଚଢ଼ାଉ କରି ୧୦ଟି ଗ୍ୟାସ ସିଲିଣ୍ଡର ଜବତ କରିଛି। ଅଭିଯୁକ୍ତଙ୍କ ବିରୋଧରେ Explosives Act ଅନୁଯାୟୀ ମାମଲା ରୁଜୁ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଅଲିଶାବଜାର ଅଞ୍ଚଳର ଧ୍ରୁବ ଚରଣ ବେହେରା ବେଆଇନ ଭାବେ ଅସୁରକ୍ଷିତ ଶୈଳୀରେ ଗ୍ୟାସ ଭର୍ତ୍ତି ଓ ବିକ୍ରି କରୁଥିବା ସନ୍ଦେହରେ ଗିରଫ ହୋଇଛନ୍ତି। ଏହି ଘଟଣା ପରେ ଗ୍ୟାସ ସୁରକ୍ଷା, ଯୋଗାଣ ବ୍ୟବସ୍ଥା ଓ କଳାବଜାରୀ ରୋକିବା ପାଇଁ କଠୋର ପଦକ୍ଷେପ ନେବା ଦାବି ଜୋର ଧରିଛି।