କୋଟି କୋଟି ଅଫର୍‌କୁ ନା କହିଥିଲେ ସନ୍ନି! ଏବେ ଭାଇରାଲ୍‌ ପୁରୁଣା ଆଡ୍‌ ଖୋଲିଲା ଗୁମର, ବଢ଼ିଲା ଚର୍ଚ୍ଚା

ପାନ ମସଲା ଓ ଗୁଟ୍‌ଖା ସହ ଜଡ଼ିତ ବିଜ୍ଞାପନକୁ ନେଇ ବଲିଉଡ୍‌ରେ ପୁଣି ଥରେ ବଡ଼ ବିବାଦ ଦେଖାଦେଇଛି। ସେଲିବ୍ରିଟିମାନେ ପାନ ମସଲା କିମ୍ବା ଏହା ସହ ଜଡ଼ିତ ସରୋଗେଟ୍‌ ପ୍ରଡକ୍ଟର ବିଜ୍ଞାପନ କରିବାକୁ ନେଇ ଏବେ ନିୟାମକ ସଂସ୍ଥାର ନଜରରେ ଅଛନ୍ତି।

ନିକଟରେ ମହାରାଷ୍ଟ୍ର ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡମିନିଷ୍ଟ୍ରେସନ୍‌ (FDA) ଶାହରୁଖ ଖାନ୍‌, ଅଜୟ ଦେବଗନ୍‌ ଓ ଟାଇଗର ଶ୍ରଫ୍‌ଙ୍କୁ Vimal Elaichi ବିଜ୍ଞାପନରେ ନଜର ଆସିବାକୁ ନେଇ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। FDAର ଯୁକ୍ତି ହେଉଛି, ଆଇନଗତ ଭାବେ ବିକ୍ରି ହେଉଥିବା ଏକ ପ୍ରଡକ୍ଟର ବିଜ୍ଞାପନ ମାଧ୍ୟମରେ ନିଷିଦ୍ଧ କିମ୍ବା ନିୟନ୍ତ୍ରିତ ପାନ ମସଲା ବ୍ରାଣ୍ଡର ପରୋକ୍ଷ ପ୍ରଚାର ହୋଇପାରେ।

ଏହି ବିବାଦ ମଧ୍ୟରେ ଏବେ ଅଭିନେତା ସନ୍ନି ଦେଓଲଙ୍କ ଏକ ପୁରୁଣା ବିଜ୍ଞାପନ ସୋସିଆଲ୍‌ ମିଡିଆରେ ପୁଣି ଭାଇରାଲ୍‌ ହେବାରେ ଲାଗିଛି। ନିକଟରେ ସନ୍ନି କହିଥିଲେ ଯେ, କୋଟି କୋଟି ଟଙ୍କାର ଅଫର୍‌ ମିଳିଲେ ମଧ୍ୟ ସେ ପାନ ମସଲା କିମ୍ବା ଇଲାଇଚି ବ୍ରାଣ୍ଡର ପ୍ରମୋସନ୍‌ କରିବେ ନାହିଁ। ଏହି ବୟାନ ପରେ ତାଙ୍କର ବର୍ଷ ବର୍ଷ ପୁରୁଣା ଏକ ଆଡ୍‌ ସାମ୍ନାକୁ ଆସିଛି।

ଭାଇରାଲ୍‌ ହେଉଥିବା ଏହି ପୁରୁଣା ବିଜ୍ଞାପନରେ ସନ୍ନି ଦେଓଲଙ୍କ ସହ ଅଭିନେତା ରବି କିଶନ ଓ ବିଜୟ ରାଜଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ବିଜ୍ଞାପନରେ ସନ୍ନି ଦେଓଲ ରବି କିଶନଙ୍କ ପାନ ଷ୍ଟଲ୍‌ ନିକଟରେ ପହଞ୍ଚୁଥିବା ଦୃଶ୍ୟ ରହିଛି। ପୁରୁଣା ଭିଡିଓଟି ପୁଣି ଭାଇରାଲ୍‌ ହେବା ପରେ ସୋସିଆଲ୍‌ ମିଡିଆରେ ସନ୍ନିଙ୍କ ପୁରୁଣା ଦାବିକୁ ନେଇ ପ୍ରଶ୍ନ ଉଠିଛି। ଅନେକ ଇଣ୍ଟରନେଟ୍‌ ୟୁଜର ଏହାକୁ ନେଇ ସନ୍ନି ଦେଓଲଙ୍କୁ ଟ୍ରୋଲ୍‌ କରିବା ସହ ତାଙ୍କ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା କରୁଛନ୍ତି। ତେବେ ଏହି ପୁରୁଣା ବିଜ୍ଞାପନ ଭାଇରାଲ୍‌ ହେବା ନେଇ ସନ୍ନି ଦେଓଲଙ୍କ ପକ୍ଷରୁ କୌଣସି ନୂଆ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।

ଅନ୍ୟପଟେ, ଶାହରୁଖ ଖାନ୍‌, ଅଜୟ ଦେବଗନ୍‌ ଓ ଟାଇଗର ଶ୍ରଫ୍‌ଙ୍କ ବିଜ୍ଞାପନକୁ ନେଇ FDAର କାର୍ଯ୍ୟାନୁଷ୍ଠାନ ପରେ ସେଲିବ୍ରିଟି ଏଣ୍ଡୋର୍ସମେଣ୍ଟକୁ ନେଇ ଚର୍ଚ୍ଚା ଆହୁରି ତୀବ୍ର ହୋଇଛି। FDA ଏହି ଅଭିନେତାମାନଙ୍କୁ ବିଜ୍ଞାପନ ସମ୍ପର୍କିତ ତଥ୍ୟ ଦେବା ସହ ପ୍ରଚାର ସାମଗ୍ରୀ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିବା ରିପୋର୍ଟ ହୋଇଛି।ଏହି ପୂରା ବିବାଦ ମଧ୍ୟରେ ବଡ଼ ପ୍ରଶ୍ନ ହେଉଛି,ସେଲିବ୍ରିଟିମାନେ ଯେଉଁ ପ୍ରଡକ୍ଟର ବିଜ୍ଞାପନ କରୁଛନ୍ତି, ତାହାର ପ୍ରଭାବ ଓ ବ୍ରାଣ୍ଡର ସମ୍ପୂର୍ଣ୍ଣ ପରିଚୟ ପାଇଁ ସେମାନେ କେତେ ଦାୟୀ? ଏହି ଘଟଣା ପରେ ଆଗାମୀ ଦିନରେ ସେଲିବ୍ରିଟି ଏଣ୍ଡୋର୍ସମେଣ୍ଟ ଉପରେ ନିୟମ ଆହୁରି କଡ଼ା ହେବ କି ନାହିଁ, ତାହା ଉପରେ ମଧ୍ୟ ନଜର ରହିଛି।