ଆଧ୍ୟାତ୍ମିକତାରେ ଭିଜୁଛି କେନ୍ଦୁଝର ସହର। ମହାରାଷ୍ଟ୍ରର ଶିରିଡ଼ିରୁ ଆସି କେନ୍ଦୁଝରରେ ପହଞ୍ଚିଛି ସାଇ ବାବାଙ୍କ ଅତି ପ୍ରିୟ ପବିତ୍ର ‘ଚରଣ ପାଦୁକା’। ଏହି ଅବସରରେ କେନ୍ଦୁଝର ବାଆଁପାର ସ୍ଥିତ ଶିରିଡ଼ି ସାଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏକ ଭବ୍ୟ ପାଦୁକା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ସହରର ପରିବେଶ ଭକ୍ତିମୟ ହୋଇଉଠିଛି। ମଣ୍ଡୁଆ ନିକଟରୁ ଏହି ପବିତ୍ର ପାଦୁକା ଯାତ୍ରା ଆରମ୍ଭ ହୋଇଥିଲା। ଏକ ବିଶାଳ ଶୋଭାଯାତ୍ରାରେ ସାଇ ବାବାଙ୍କ ପାଦୁକାକୁ ସହର ପରିକ୍ରମା କରାଯାଇଥିଲା। ଲାବଣ୍ୟ ଛକ, ରାମ ମନ୍ଦିର ଏବଂ ମାଇନିଂ ରୋଡ୍ ଦେଇ ପାଦୁକାକୁ ବାଆଁପାର ଶିରିଡ଼ି ସାଇ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା।
ବାବାଙ୍କ ପାଦୁକା ସହ ଶିରିଡ଼ି ସାଇ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ, ପ୍ରାୟ ୨୦ ଜଣ ପୂଜକ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା କେନ୍ଦୁଝରରେ ପହଞ୍ଚିଛନ୍ତି। ବିଶେଷ କରି ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ ଉପସ୍ଥିତି ଭକ୍ତଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି। ମନ୍ଦିରରେ ପାଦୁକା ସ୍ଥାପନ ପରେ ଭବ୍ୟ ଆରତି କରାଯାଇଥିଲା। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ‘ଧାଡ଼ି ଦର୍ଶନ’ର ବ୍ୟବସ୍ଥା ହୋଇଥିବା ବେଳେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବନ୍ଦୋବସ୍ତ ମଧ୍ୟ କରାଯାଇଛି। “ଯେଉଁ ଭକ୍ତମାନେ ମହାରାଷ୍ଟ୍ର ଯାଇ ବାବାଙ୍କୁ ଦର୍ଶନ କରିପାରୁନାହାନ୍ତି, ସେମାନେ କେନ୍ଦୁଝର ମାଟିରେ ଏହି ପବିତ୍ର ପାଦୁକା ଦର୍ଶନ କରି ପୁଣ୍ୟ ଅର୍ଜନ କରିପାରିବେ। ସନ୍ଧ୍ୟା ସମୟରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
