କିଛି ବିସ୍କୁଟ ପାଇଁ ନେଇଗଲେ ନାବାଳର ଜୀବନ

ମାତ୍ର ଗୋଟିଏ ବିସ୍କୁଟ ପ୍ୟାକେଟ୍ ପାଇଁ ଚାଲିଗଲା ୧୩ ବର୍ଷୀୟ ନାବାଳକଙ୍କ ଜୀବନ। ବିସ୍କୁଟ ଖାଇଦେବାକୁ କେନ୍ଦ୍ର କରି ନାବାଳକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ବାଲେଶ୍ୱର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ନୀଳଗିରି ବ୍ଲକ୍ ଅନ୍ତର୍ଗତ ତେନ୍ତୁଳିଆ ଗାଁରେ। ମୃତ ନାବାଳକ ହେଲେ ସେହି ଗାଁର ୧୩ ବର୍ଷୀୟ ଦିନେଶ ବାଗସିଂହ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଦିନେଶ ଦୋକାନୀଙ୍କ ଅଜାଣତରେ ଏକ ପ୍ୟାକେଟ୍ ବିସ୍କୁଟ ଖାଇଦେଇଥିବା ଅଭିଯୋଗରେ ତାଙ୍କୁ ମାଡ଼ ମାରିବା ସହ ଦୋକାନ ଭିତରେ ବନ୍ଦ କରି ରଖାଯାଇଥିଲା।ପ୍ରାଥମିକ ସୂଚନା ଅନୁସାରେ, ଗତ ଶୁକ୍ରବାର ଦିନେଶ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ମାନସ ବେହେରାଙ୍କ ଭେରାଇଟି ଷ୍ଟୋରକୁ ଯାଇଥିଲେ। ହେଲେ ସେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ରାତିସାରା ଖୋଜାଖୋଜି କରିବା ପରେ ଦୋକାନ ପଛପଟେ ନିର୍ମାଣାଧୀନ ଏକ ଘରୁ ଦିନେଶଙ୍କ ମୃତଦେହ ଠାବ କରିଥିଲେ।ଏହାପରେ ପରିବାର ଲୋକେ ଅଭିଯୋଗ କରିଥିଲେ ଯେ, ବିନା ଟଙ୍କାରେ ବିସ୍କୁଟ ଖାଇଦେଇଥିବା ସନ୍ଦେହରେ ଦୋକାନୀ ରାଗିଯାଇଥିଲେ। ଏହାକୁ ନେଇ ଦୋକାନୀ ଓ ତାଙ୍କ ପୁଅ ମିଶି ନାବାଳକଙ୍କୁ ନିର୍ମମ ଭାବେ ମାଡ଼ ମାରିବା ପରେ ବନ୍ଦ କରି ରଖିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।ଘଟଣା ସମ୍ପର୍କରେ ଖବର ପ୍ରଚାର ହେବା ପରେ ଗାଁରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ଦୋକାନରେ ଭଙ୍ଗାରୁଜା କରିବା ସହ ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନାକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲା। ଏହି ଘଟଣାରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।