କାଳିଜାଇ ପୀଠରେ ବଢ଼ିବ ସୁରକ୍ଷା

ପର୍ଯ୍ୟଟକଙ୍କ ଭିଡ଼ ଦେଖି ଅଧିକ ପୁଲିସ ମୁତୟନ କରାଯିବ | ଚିଲିକାରେ ହେବ କଡ଼ା ପାଟ୍ରୋଲିଙ୍ଗ |

ଚିଲିକା ହ୍ରଦର ଧାର୍ମିକ ଓ ପର୍ଯ୍ୟଟନ କେନ୍ଦ୍ର କାଳିଜାଇ ପୀଠରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରାଯିବ। ଚିଲିକାର କାଳିଜାଇ ଗସ୍ତରେ ଯାଇ ଏହି ସୂଚନା ଦେଇଛନ୍ତି ପୁରୀ ଏସ୍‌ପି ପ୍ରତୀକ ସିଂ। ଦିନକୁ ଦିନ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସୁରକ୍ଷାକୁ ନଜରରେ ରଖି ଅଧିକ ପୁଲିସ ମୁତୟନ କରାଯିବ। ଏହା ସହ ପୁଲିସ ଏଡ୍‌ ପୋଷ୍ଟର କଳେବର ବୃଦ୍ଧି କରାଯିବ ଓ ନିୟମିତ ପୁଲିସ ପାଟ୍ରୋଲିଙ୍ଗ ବ୍ୟବସ୍ଥା ଜୋରଦାର କରାଯିବ।

ପୁରୀ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ ଅଧିକ ଦୂରତାରେ ଥିବାରୁ କୃଷ୍ଣପ୍ରସାଦ ବ୍ଲକକୁ ସ୍ବତନ୍ତ୍ର ଗୁରୁତ୍ୱ ଦିଆଯିବ ବୋଲି ଏସ୍‌ପି କହିଛନ୍ତି। କାଳିଜାଇ ପୀଠ ସହ ସମ୍ପୂର୍ଣ୍ଣ ଚିଲିକା ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରାଯିବ ଓ ଅଧିକରୁ ଅଧିକ ପୁଲିସ ପାଟ୍ରୋଲିଙ୍ଗର ବ୍ୟବସ୍ଥା କରାଯିବ | ଏହା ସହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଶୋଷଣ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି ସ୍ପଷ୍ଟ କରିଛନ୍ତି। ଶ୍ରଦ୍ଧାଳୁମାନଙ୍କୁ ଉଚ୍ଚ ସ୍ତରୀୟ ସେବା ଯୋଗାଇଦେବା ପାଇଁ ପୁଲିସ ଓ ପ୍ରଶାସନ ମିଳିତ ଭାବେ କାମ କରିବେ ବୋଲି ସେ କହିଛନ୍ତି।