
ପବିତ୍ର ବାହୁଡ଼ା ଯାତ୍ରା କାଳିଆ ଭାବରେ ବନ୍ଧା ଭକ୍ତ । ଭକ୍ତି, ଭାବ ଓ ଆଧ୍ୟାତ୍ମିକତାରେ ଉତ୍ସବମୁଖର ହୋଇଉଠିଛି ଶ୍ରୀକ୍ଷେତ୍ର ପୁରୀ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ପହଣ୍ଡି ବିଜେ ଦେଖିବା ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଛି। ଭାବ ବିନୋଦିଆ ସାଆନ୍ତଙ୍କ ଝୁଲି ଝୁଲି ପହଣ୍ଡି ବିଜେର ଅପୂର୍ବ ଦୃଶ୍ୟ ଦେଖିବାକୁ ଦେଶ-ବିଦେଶରୁ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି।
ଘଣ୍ଟ, ଘଣ୍ଟା, କାହାଳୀ, ମର୍ଦ୍ଦଳ ଓ ହରିବୋଲ ଧ୍ୱନିରେ ସମଗ୍ର ବଡ଼ଦାଣ୍ଡ ମୁଖରିତ ହୋଇଉଠିଛି। ପାରମ୍ପରିକ ନୀତିକାନ୍ତି ଅନୁଯାୟୀ ସେବାୟତମାନଙ୍କ ସହଯୋଗରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ସମ୍ପନ୍ନ ହୋଇଥିବା ବେଳେ ପ୍ରତ୍ୟେକ ମୁହୂର୍ତ୍ତକୁ ଭକ୍ତମାନେ ଭକ୍ତିଭାବରେ ଉପଭୋଗ କରିଛନ୍ତି। ମହାପ୍ରଭୁଙ୍କ ଦିବ୍ୟ ରୂପର ଦର୍ଶନ ପାଇ ଭକ୍ତମାନଙ୍କ ମନ ଭକ୍ତିରେ ବିଭୋର ହୋଇଉଠିଛି।
ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁଚାରୁ ଦର୍ଶନ ବ୍ୟବସ୍ଥା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୋଲିସ, ଅଗ୍ନିଶମ ବାହିନୀ, ସ୍ୱାସ୍ଥ୍ୟ ବିଭାଗ ଓ ସେବାୟତମାନେ ସମନ୍ୱୟ ରକ୍ଷା କରି ଶାନ୍ତିପୂର୍ଣ୍ଣ ଭାବେ ନୀତିକାନ୍ତି ସମ୍ପନ୍ନ କରୁଛନ୍ତି। ଡ୍ରୋନ୍ ଓ ସିସିଟିଭି ମାଧ୍ୟମରେ ସମଗ୍ର ବଡ଼ଦାଣ୍ଡ ଉପରେ କଡ଼ା ନଜର ରଖାଯାଉଛି।
ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କାଳିଆର ପହଣ୍ଡି ବିଜେ ଭକ୍ତଙ୍କ ମନରେ ଅବର୍ଣ୍ଣନୀୟ ଆନନ୍ଦ ଭରିଦେଇଛି। ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇ ସାରା ବଡ଼ଦାଣ୍ଡ “ଜୟ ଜଗନ୍ନାଥ” ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି।