କାମ୍ବୋଡିଆ ସୀମା ନିକଟରେ ଭଗବାନ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ଧ୍ଵଂସ

ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ଏକ ଗୁରୁତର ଘଟଣା ସାମ୍ନାକୁ ଆସିଛି। ସୋମବାର ଦୁଇ ଦେଶର ସୀମା ନିକଟରେ ସ୍ଥାପିତ ଭଗବାନ ବିଷ୍ଣୁଙ୍କ ଏକ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହି ଘଟଣାକୁ ନେଇ ବୁଧବାର ଭାରତ ପକ୍ଷରୁ କଠୋର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପ୍ରବକ୍ତା ରଣଧୀର ଜୟସ୍ବାଲ କହିଛନ୍ତି ଯେ, ଥାଇ–କାମ୍ବୋଡିଆ ବିବାଦ ମଧ୍ୟରେ ସୀମାଞ୍ଚଳରେ ଥିବା ହିନ୍ଦୁ ଦେବତାଙ୍କ ପ୍ରତିମୂର୍ତ୍ତି ନଷ୍ଟ ହେବା ଅତ୍ୟନ୍ତ ଦୁଃଖଜନକ ଓ ଅସମ୍ମାନଜନକ। ଏହି ପ୍ରତିମୂର୍ତ୍ତି ନିକଟରେ ନିର୍ମିତ ହୋଇଥିଲା ଏବଂ ବର୍ତ୍ତମାନ ସଂଘର୍ଷପୂର୍ଣ୍ଣ ଅଞ୍ଚଳରେ ସ୍ଥାପିତ ଥିଲା।

ସୂଚନା ଅନୁଯାୟୀ, ଏହି ସ୍ଥାନରେ ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀ ଉଭୟ ପୂଜାର୍ଚ୍ଚନା କରୁଥିଲେ। ପ୍ରତିମୂର୍ତ୍ତି ଧ୍ଵଂସ ଘଟଣା ସାରା ବିଶ୍ୱରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବନାକୁ ଆଘାତ ପହଞ୍ଚାଇଛି ବୋଲି ଭାରତ କହିଛି।

ଭାରତ ଉଭୟ ଦେଶକୁ ଆଲୋଚନା ଓ କୂଟନୈତିକ ମାର୍ଗରେ ସମସ୍ୟାର ସମାଧାନ କରି ଶାନ୍ତି ପ୍ରତିଷ୍ଠା କରିବାକୁ ଆହ୍ୱାନ କରିଛି। ଉଲ୍ଲେଖଯୋଗ୍ୟ, ୨୦୧୪ ମସିହାରେ ନିର୍ମିତ ଏହି ଭଗବାନ ବିଷ୍ଣୁଙ୍କ ପ୍ରତିମୂର୍ତ୍ତିକୁ ଥାଇଲାଣ୍ଡ ସେନା ଦ୍ୱାରା ଧ୍ଵଂସ କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କାମ୍ବୋଡିଆ ମଧ୍ୟ ଥାଇଲାଣ୍ଡ ଉପରେ ସମାଲୋଚନା କରିଛି।