କାଠଯୋଡି ନଦୀ ପଠାରେ ବଡ଼ ଧମକା, ଆତଙ୍କିତ ହେଲେ ସ୍ଥାନୀୟ ଲୋକ

କଟକ ଗୋପାଳପୁର ବଢ଼େଇ ସାହି ନିକଟର କାଠଯୋଡି ନଦୀ ପଠାରେ ହଠାତ୍ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଛି। ଶବ୍ଦର ତୀବ୍ରତା ଏତେ ଅଧିକ ଥିଲା ଯେ ଘଟଣାସ୍ଥଳରୁ ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ ଏହାର ପ୍ରତିଧ୍ୱନି ଶୁଣାଯାଇଥିଲା। ଏହି ଶବ୍ଦରେ କିଛି ଘରର କାଚ ଝରକା ଭାଙ୍ଗିଯାଇଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ବିସ୍ଫୋରଣ ସ୍ଥାନରୁ ଘନ ଧୂଆଁ ଆକାଶକୁ ଉଠୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ସୂଚନା ଅନୁସାରେ, ଆଜି ଅପରାହ୍ନ ସମୟରେ କାଠଯୋଡି ନଦୀ ପଠାରେ ହଠାତ୍ ଜୋର୍ ଧମକା ହେବାରୁ ସ୍ଥାନୀୟ ଲୋକ ଆତଙ୍କିତ ହୋଇପଡ଼ିଥିଲେ। ପରେ ଲୋକେ ଘଟଣାସ୍ଥଳରେ ପହଞ୍ଚି ଜାଣିଥିଲେ ଯେ ପୋଲିସ ଜବତ କରିଥିବା ବେଆଇନ ବାଣକୁ ଏଠାରେ ନଷ୍ଟ କରିଥିଲେ | ତଥାପି ପୂର୍ବ ସୂଚନା ବିନା ଏଭଳି ବିସ୍ଫୋରଣ ଘଟାଇବାକୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଥିଲେ। ଜନବସତି ଅଞ୍ଚଳର ନିକଟରେ ଏପରି କାର୍ଯ୍ୟ କରିବା ଉଚିତ୍ ନୁହେଁ ବୋଲି ସେମାନେ ପ୍ରତିବାଦ କରିଥିଲେ।