
ଉତ୍ତରପ୍ରଦେଶର ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ (AMU) ପରିସରରେ ବୁଧବାର ରାତିରେ ଘଟିଛି ଚାଞ୍ଚଳ୍ୟକର ଗୁଳିକାଣ୍ଡ। ମୌଲାନା ଆଜାଦ ଲାଇବ୍ରେରି ନିକଟରେ କମ୍ପ୍ୟୁଟର ବିଭାଗର ପ୍ରାଧ୍ୟାପକ ରାଓ ଦାନିଶ ଅଲ୍ଲୀଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରାଯାଇଛି।
ବୁଧବାର ରାତି ପ୍ରାୟ ୯ଟା ସମୟରେ ମୁଖା ପିନ୍ଧିଥିବା ଦୁଇ ଜଣ ବାଇକ୍ ଆରୋହୀ ଦାନିଶଙ୍କୁ ରାସ୍ତାରେ ଅଟକାଇ ଗୁଳି ଚଳାଇଥିଲେ। ସେ ସମୟରେ ଦାନିଶ ତାଙ୍କ ଦୁଇ ଜଣ ସାଙ୍ଗଙ୍କ ସହ ଠିଆ ହୋଇଥିଲେ। ଗୁଳିମାଡ଼ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଗୁରୁତର ଆହତ ଦାନିଶଙ୍କୁ ତୁରନ୍ତ ଜେଏନ ମେଡିକାଲ କଲେଜକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ପରେ AMU ପରିସରରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ବିଶ୍ୱବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ପୁଲିସ ସିସିଟିଭି ଫୁଟେଜ ଖୋଜାଖୋଜି କରୁଥିବା ବେଳେ ଫରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଏସଏସପି ନୀରଜ ଜାଦୌନ କହିଛନ୍ତି ଯେ, ଅପରାଧୀମାନଙ୍କୁ ଶୀଘ୍ର ଗିରଫ କରାଯିବ। ଏହି ଘଟଣାକୁ ନେଇ ବିରୋଧୀ ଦଳ ସରକାରଙ୍କ ଆଇନ-ଶୃଙ୍ଖଳା ନୀତି ଉପରେ କଠୋର ପ୍ରଶ୍ନ ଉଠାଇଛନ୍ତି।