କନ୍ଧମାଳରେ ଦନ୍ତା ହାତୀର ଆତଙ୍କ, ଜନବସତି ଭିତରକୁ ପଶିଆସିଲା ଦନ୍ତା…

କନ୍ଧମାଳରେ ଦନ୍ତା ହାତୀର ଆତଙ୍କ। ହଠାତ୍ ଜନବସତି ଭିତରକୁ ପଶିଆସିଲା ଦନ୍ତା। ହାତୀକୁ ଦେଖି ଭୟରେ ଘରୁ ବାହାରି ଛାତ ଉପରକୁ ଚାଲିଗଲେ ଲୋକେ। ଦୀର୍ଘ ସମୟ ଧରି ଅନ୍ଧାର ରାତିରେ ଘର ସମ୍ମୁଖରେ ରହିଲା ହାତୀ। ଏପରିକି ଖବର ସଂଗ୍ରହ କରୁଥିବା ବେଳେ ମାତ୍ର ୧୦ରୁ ୨୦ ମିଟର ଦୂରରୁ ଆମ ଟିମ୍ ଆଡକୁ ମଧ୍ୟ ମାଡ଼ି ଆସିଥିଲା ଦନ୍ତା।

କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିକଟ ନନ୍ଦଗିରି ପାଖ ପ୍ରଧାନ କଲୋନୀରେ ଘଟିଛି ଏଭଳି ଭୟାନକ ଘଟଣା। ରାତିରେ ହଠାତ୍ ଏକ ଦନ୍ତା ହାତୀ ଜନବସତି ଭିତରକୁ ପଶି ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଥିଲା ଆତଙ୍କ। ହାତୀକୁ ଦେଖି ଘରେ ଥିବା ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ଛାତ ଉପରକୁ ଚାଲିଯାଇଥିଲେ।

ଘଟଣା ସମ୍ପର୍କରେ ଜି.ଉଦୟଗିରି ବନ ବିଭାଗକୁ ଖବର ଦିଆଯିବା ପରେ ରେଞ୍ଜର ମାଣିକେଶ୍ୱରୀ ପଟ୍ଟନାୟକଙ୍କ ନେତୃତ୍ୱରେ ବନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଦନ୍ତାକୁ ଜନବସତିରୁ ଘଉଡ଼ାଇବା ପାଇଁ ବନ କର୍ମଚାରୀମାନେ ଉଦ୍ୟମ କରିଥିଲେ। ହାତୀଟି ସ୍ଥାନ ଛାଡ଼ି ନଯିବାରୁ ବାଣ ଫୁଟାଇ ତାକୁ ଘଉଡ଼ାଇବାକୁ ଚେଷ୍ଟା କରାଯାଇଥିଲା।

ତେବେ ଅନ୍ଧାର ରାତିରେ ଦନ୍ତାଟି ଦୀର୍ଘ ସମୟ ଧରି ସେହି ଅଞ୍ଚଳରେ ରହିଥିଲା। ଘର ସମ୍ମୁଖରେ ଥିବା ଆମ୍ବ ଗଛ ଭାଙ୍ଗିବା ସହ ମକା ଗଛ ଖାଇଥିଲା। ଫଳରେ ଲୋକଙ୍କ ଭୟ ଆହୁରି ବଢ଼ିଯାଇଥିଲା। ଅନେକ ପରିବାର ଛାତ ଉପରେ ଆଶ୍ରୟ ନେଇଥିବା ବେଳେ ତଳେ ରହି ବନ ବିଭାଗ କର୍ମଚାରୀମାନେ ହାତୀକୁ ଘଉଡ଼ାଇବାରେ ଲାଗିଥିଲେ।

ସବୁଠାରୁ ଚିନ୍ତାଜନକ ମୁହୂର୍ତ୍ତ ଥିଲା ଖବର ସଂଗ୍ରହ ସମୟରେ। ଘଟଣାସ୍ଥଳରେ ଆମ ଟିମ୍ ମାତ୍ର ୧୦ରୁ ୨୦ ମିଟର ଦୂରରେ ରହି ଦନ୍ତାର ଗତିବିଧି କ୍ୟାମେରାରେ କଏଦ କରୁଥିବା ବେଳେ ହଠାତ୍ ହାତୀଟି ଆମ ପାଖକୁ ମାଡ଼ି ଆସିଥିଲା। ସେତେବେଳେ ବନ ବିଭାଗ କର୍ମଚାରୀମାନେ ଟର୍ଚ୍ଚ ଲାଇଟ୍ ଦେଖାଇ ପରିସ୍ଥିତିକୁ ସମ୍ଭାଳିଥିଲେ।

ପରେ ଦନ୍ତାଟି ପାଜିମହା ଅଞ୍ଚଳ ଆଡ଼କୁ ଚାଲିଯାଇଥିବା ସୂଚନା ମିଳିଛି। ତେବେ ଦୀର୍ଘ ସମୟ ଧରି ଜନବସତି ଭିତରେ ଦନ୍ତାର ଉପସ୍ଥିତି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।