କଂସ ଦରବାରରେ ରୋମାଞ୍ଚକ, ଧନୁଯାତ୍ରାରେ ମଥୁରା–ଗୋପପୁର ଲୀଳା

ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ଦ୍ୱିତୀୟ ଦିନ ଧାର୍ମିକ ଓ ନାଟ୍ୟମୟ ଦୃଶ୍ୟରେ ମଥୁରା ଗୋପପୁର ଜୀବନ୍ତ ହୋଇଉଠିଛି। କାରାଗାରରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ, କାରାଗାର ଦ୍ୱାର ଆପେଆପେ ଖୋଲିଯିବା ଓ ବସୁଦେବଙ୍କ ଗୋପପୁର ଯାତ୍ରା, ଏହି ସମସ୍ତ ଦୃଶ୍ୟ ଦର୍ଶକଙ୍କୁ ବେଶ ମନମୁଗ୍ଧ କରିଛି।

କଂସର ଭୟରେ ଶିଶୁ କୃଷ୍ଣଙ୍କୁ କୋଳରେ ନେଇ ବସୁଦେବ ମଥୁରା କାରାଗାରରୁ ଗୋପପୁର ଦିଗେ ପ୍ରସ୍ଥାନ କରିଥିଲେ। ପଥରେ କଟୁଆଳ ସାଜି ଉଗ୍ରସେନ ବସୁଦେବଙ୍କୁ ଅଟକାଇଥିଲେ ମଧ୍ୟ ଶ୍ରୀକୃଷ୍ଣଙ୍କ ଦେହରେ ଭଗବାନ ବିଷ୍ଣୁଙ୍କ ରୂପ ଦେଖି ସେ ଆତ୍ମବିଭୋର ହୋଇ ପଥ ଛାଡ଼ିଦେଇଥିଲେ। ଯମୁନା ପାରି ହୋଇ ବସୁଦେବ ନନ୍ଦଭବନରେ ଯଶୋଦାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ଥୋଇ ଶିଶୁକନ୍ୟାକୁ ନେଇ ପୁଣି ମଥୁରା ଫେରିଥିଲେ। ଏହି ନାଟକୀୟ ଦୃଶ୍ୟକୁ ମଥୁରାବାସୀ ଓ ହଜାରହଜାର ଦର୍ଶକ ବେଶ ଉପଭୋଗ କରିଥିଲେ।

ଧନୁଯାତ୍ରାର ଦ୍ୱିତୀୟ ଦିନରେ ମହାରାଜ କଂସ ନଗର ଭ୍ରମଣରେ ବାହାରି ପ୍ରଜାଙ୍କ ସୁଖଦୁଃଖ ବୁଝିଥିଲେ। ନୀୟମ ମାନୁନଥିବା ଲୋକମାନଙ୍କୁ ରାଜଦଣ୍ଡ ଦେଇ କଂସ ନିଜର ନ୍ୟାୟବ୍ୟବସ୍ଥା ପ୍ରଦର୍ଶନ କରିଥିଲେ। ଏହା ସହ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଓ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତିରେ ଲୋକମଣ୍ଡପ ପଡ଼ିଆରେ ରଂଗମହଲର ଉଦ୍‌ଘାଟନ କରାଯାଇ, ଦର୍ଶକଙ୍କ ମନରଂଜନର ଆରମ୍ଭ ହୋଇଥିଲା।

ପରେ ରାଜଦରବାରକୁ ଫେରି ମହାରାଜ କଂସ ମାତା ଇନ୍ଦୁମତୀଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ସ୍ୱରୂପ ଦୂର୍ମିଳାସୁରକୁ ବଧ କରିଥିଲେ। ଏହି ଦୃଶ୍ୟ ମଧ୍ୟ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ସୃଷ୍ଟି କରିଥିଲା।

ଧନୁଯାତ୍ରାର ତୃତୀୟ ଦିନରେ ଶ୍ୟାମେଶ୍ଵର ମହାଦେବଙ୍କ ଦର୍ଶନ, ବିଜୁଳି କନ୍ୟାର ଶୂନ୍ୟବାଣୀ, ନାରଦଙ୍କ ପରାମର୍ଶରେ କଂସଙ୍କ ଦ୍ୱାରା ପୁତନା ରାକ୍ଷସୀ ସହ ଷଡ଼ମଲ୍ଲଙ୍କୁ ଗୋପପୁର ପ୍ରେରଣ ଭଳି ଦୃଶ୍ୟ ଆୟୋଜିତ ହେବ। ଏହା ସହ ଗୋପପୁରରେ କୃଷ୍ଣ ଜନ୍ମ, ନନ୍ଦୋତ୍ସବ ଓ ଗୋପପୁର ଯାତ୍ରା ଆରମ୍ଭ ହେବାକୁ ଥିବାରୁ ଧନୁଯାତ୍ରାର ଉତ୍ସାହ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।