ରାଜ୍ୟରେ ପାରଦ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶନାମା ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ପାଇଁ ସମାନ ଭାବେ ଲାଗୁ ହେବ। ପିଲାମାନଙ୍କ ପାଇଁ ପାଠପଢ଼ା ବନ୍ଦ ରହିଲେ ମଧ୍ୟ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀମାନେ ଅଫିସ୍ କାର୍ଯ୍ୟ, ଜନଗଣନା ଏବଂ ପରୀକ୍ଷା ପରିଚାଳନା ପାଇଁ ଉପସ୍ଥିତ ରହିବେ। ଯଦି କୌଣସି ବିଦ୍ୟାଳୟରେ ପୂର୍ବରୁ ପରୀକ୍ଷା ତାରିଖ ନିର୍ଦ୍ଧାରିତ ହୋଇଛି, ତେବେ ତାହା ପୂର୍ବ ନିୟମ ଅନୁସାରେ କରାଯିବ।

ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ଅସହ୍ୟ ହେବାରେ ଲାଗିଛି। ବିଶେଷ କରି ସକାଳ ୧୦ଟା ପରେ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ସ୍କୁଲରୁ ଫେରିବା ସମୟରେ ପିଲାମାନେ ଅଂଶୁଘାତର ଶିକାର ହେବାର ଭୟ ଥିବାରୁ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। “ଖରା ଛୁଟି ସମୟରେ ପିଲାମାନଙ୍କୁ ଦିନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖରାରେ ବାହାରକୁ ଛାଡ଼ନ୍ତୁ ନାହିଁ। ସେମାନଙ୍କ ଖାଦ୍ୟପେୟ ଓ ଜଳୀୟ ଅଂଶ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।”ସ୍କୁଲ କେବେ ପୁଣି ଖୋଲିବ, ସେ ନେଇ ପାଣିପାଗ ସ୍ଥିତିକୁ ଦେଖି ପରବର୍ତ୍ତୀ ସମୟରେ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯିବ।