
ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମରକ୍କୋରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏହି ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ଅନ୍ୟୂନ ୨୯୬ଜଣ ଲୋକ ପ୍ରାଣ ହରାଇଥିବା କଥା ଆଜି ସକାଳେ ମୋରକୋର ଗୃହମନ୍ତ୍ରାଳୟ କହିଛି। ଏହାଛଡ଼ା, ଭୂମିକମ୍ପ ଯୋଗୁଁ ଆହତ ହୋଇଥିବା ୧୫୩ଜଣଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଯାଇଛି। ଭୂକମ୍ପରେ ବଡ଼ ବଡ଼ କୋଠା ଥରିବା ସହ ତାସର ଘର ପରି ଭୁଶୁଡ଼ି ପଡିଛି । ଭୟରେ ଲୋକେ ଭୟରେ ଘରୁ ବାହାରି ରାସ୍ତା ଉପରକୁ ପଳାଇ ଆସିଥିଲେ। ସୂଚନା ଅନୁସାରେ, ଭୂମିକମ୍ପ ଯୋଗୁଁ ମାରକେସ ଓ କ୍ବାର୍ଜାଜାଟେ ପ୍ରଦେଶରେ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଅଧିକାଂଶ କ୍ଷୟକ୍ଷତି ସହର ଓ ନଗର ବାହାରେ ହୋଇଥିବା କଥା ମନ୍ତ୍ରାଳୟ ସୂଚନା ଦେଇଛି। କିନ୍ତୁ, କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହା ସରକାରୀ କର୍ତ୍ତୃପକ୍ଷମାନେ ଏପର୍ଯ୍ୟନ୍ତ ଆକଳନ କରିପାରି ନାହାନ୍ତି। ତେବେ ଭୂକମ୍ପର ଭୟାବହତାକୁ ଲକ୍ଷ୍ୟ କଲେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବାର ସମ୍ମାବନା ରହିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୮ ରେକର୍ଡ କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଗଭରୀ ଦୁଃଖ ପ୍ରକାଶ କରିଛନ୍ତି । ମରକ୍କୋରେ ଭୂମିକମ୍ପଜନିତ ପ୍ରାଣହାନୀ ଯୋଗୁଁ ଖୁବ୍ ବ୍ୟଥିତ। ଏଭଳି ଦୁଃଖଦ ସମୟରେ ମୋରକୋବାସୀଙ୍କୁ ସହାନୁଭୂତି ଜଣାଉଛି। ସେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି। ଏଭଳି ଦୁର୍ଦ୍ଦିନରେ ମୋରକୋକୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ ଭାରତ ପ୍ରସ୍ତୁତ।