ଇସ୍ରୋ ରଚିଲା ଇତିହାସ,ମହାକାଶରୁ ସିଗ୍ନାଲ୍

ଖ୍ରୀଷ୍ଟମାସର ଦିନକ ପୂର୍ବରୁ ଭାରତ ମହାକାଶ କ୍ଷେତ୍ରରେ ଏକ ନୂଆ ଇତିହାସ ରଚିଛି। ଭାରତୀୟ ମହାକାଶ ଏଜେନ୍ସି ଇସ୍ରୋ ତାହାର ବାହୁବଳୀ ରକେଟ୍ ଏଲ୍‌ଭିଏମ୍–3 ଏମ୍–6 ଜରିଆରେ ଆମେରିକୀୟ କମ୍ପାନି ଏଏସ୍‌ଟି ସ୍ପେସ୍‌ମୋବାଇଲ ବିଶାଳ ଯୋଗାଯୋଗ ଉପଗ୍ରହ ବ୍ଲୁବାର୍ଡ ବ୍ଲକ୍–2କୁ ସଫଳତାର ସହ ମହାକାଶକୁ ପଠାଇଛି।

ନିର୍ଦ୍ଧାରିତ ସମୟରୁ ୯୦ ସେକେଣ୍ଡ ବିଳମ୍ବରେ, ସକାଳ ୮ଟା ୫୫ ମିନିଟ୍ ୩୦ ସେକେଣ୍ଡରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ ପ୍ୟାଡ୍‌ରୁ ଉତ୍‌କ୍ଷେପଣ କରାଯାଇଥିଲା। ଉତ୍‌କ୍ଷେପଣ ମାର୍ଗରେ ମହାକାଶ ଆବର୍ଜନା କିମ୍ବା ଅନ୍ୟ ଉପଗ୍ରହ ସହ ସଂଘର୍ଷ ଆଶଙ୍କା ଥିବାରୁ ଇସ୍ରୋ ଏନେଇ ସାମାନ୍ୟ ବିଳମ୍ବ କରିଥିଲା।

୬୪୦ ଟନ୍‌ ଓଜନର ଏଲ୍‌ଭିଏମ୍–3 ରକେଟ୍‌କୁ ‘ବାହୁବଳୀ’ ଭାବେ ପରିଚିତ କରାଯାଇଛି। ଏହି ମିଶନ ଜରିଆରେ ଇସ୍ରୋ ଭାରତୀୟ ମାଟିରୁ ଏ ପର୍ଯ୍ୟନ୍ତ ସବୁଠାରୁ ଓଜନଦାର ୬୧୦୦ କିଲୋଗ୍ରାମର ବିଦେଶୀ ଉପଗ୍ରହକୁ ପୃଥିବୀର ନିମ୍ନ କକ୍ଷପଥରେ ସଫଳତାର ସହ ସ୍ଥାପନ କରିଛି।

ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ (NSIL) ମାଧ୍ୟମରେ ଏହି ବାଣିଜ୍ୟିକ ମିଶନ ସଫଳ ହେବା ଭାରତ ପାଇଁ ବଡ଼ ଉପଲବ୍ଧି। ବ୍ଲୁବାର୍ଡ ବ୍ଲକ୍–2 ଉପଗ୍ରହ ମୋବାଇଲ୍ ଯୋଗାଯୋଗ କ୍ଷେତ୍ରରେ ଆମୂଳ ପରିବର୍ତ୍ତନ ଆଣିବ। ଏହା ମାଧ୍ୟମରେ 4G ଓ 5G ସ୍ମାର୍ଟଫୋନ୍‌କୁ ସିଧାସଳଖ ଇଣ୍ଟରନେଟ୍ ସଂଯୋଗ ମିଳିପାରିବ। ଏଥିପାଇଁ ଗ୍ରାହକଙ୍କୁ କୌଣସି ଟାୱାର ଦରକାର ପଡ଼ିବ ନାହିଁ।

ଉଚ୍ଚ ପାହାଡ଼, ଗଭୀର ଜଙ୍ଗଲ, ଅପହଞ୍ଚ ଗ୍ରାମାଞ୍ଚଳ, ମହାସାଗର ଓ ବିମାନ ଯାତ୍ରା ସମୟରେ ଯେଉଁଠାରେ ମୋବାଇଲ୍ ଟାୱାର ନାହିଁ, ସେଠାରେ ମଧ୍ୟ ହାଇସ୍ପିଡ୍ ଇଣ୍ଟରନେଟ୍ ଓ କଲ୍ ସେବା ମିଳିବାର ପଥ ପ୍ରସ୍ତୁତ ହୋଇଛି। ମିଶନ ସଫଳ ହେଲେ ଆଗାମୀ ଦିନରେ ମୋବାଇଲ୍ ଟାୱାର ଯୁଗ ଶେଷ ହେବାର ଆଶା ଦୃଶ୍ୟାମାନ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋକୁ ଅଭିନନ୍ଦନ ଜଣାଇ କହିଛନ୍ତି, ଭାରତୀୟ ବୈଜ୍ଞାନିକମାନଙ୍କ ଦ୍ୱାରା ପରିଚାଳିତ ମହାକାଶ କାର୍ଯ୍ୟକ୍ରମ ଦିନକୁ ଦିନ ଅଧିକ ଉନ୍ନତ, ସଶକ୍ତ ଓ ପ୍ରଭାବଶାଳୀ ହେଉଛି।