ଭେନେଜୁଏଲା ଏବଂ ଇରାନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ କ୍ୟୁବା ଉପରେ ନଜର ପକାଇଛନ୍ତି। ମିଆମି ବିଚ୍ରେ ଆୟୋଜିତ ଏକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଟ୍ରମ୍ପ କ୍ୟୁବାକୁ ସିଧାସଳଖ ସାମରିକ ଧମକ ଦେଇଛନ୍ତି, ଯାହା ବିଶ୍ୱ ରାଜନୀତିରେ ହଲଚଲ ସୃଷ୍ଟି କରିଛି। ଟ୍ରମ୍ପ କହିଛନ୍ତି, “ମୁଁ ଏକ ମହାନ ସେନା ଗଠନ କରିଛି ଏବଂ ଏହାକୁ ବ୍ୟବହାର ମଧ୍ୟ କରିବି।

ଆମର ପରବର୍ତ୍ତୀ ଟାର୍ଗେଟ୍ ହେଉଛି କ୍ୟୁବା। ଆମେରିକା ପକ୍ଷରୁ କ୍ୟୁବା ଉପରେ ମାସ ମାସ ଧରି କଟକଣା ଲଗାଯାଇଛି। ବିଦେଶୀ ସାମଗ୍ରୀ ପରିବହନ ବନ୍ଦ କରାଯିବା ସହ ବିଦ୍ୟୁତ୍ ସଂଯୋଗ ମଧ୍ୟ ବିଚ୍ଛିନ୍ନ କରାଯାଇଛି। ଟ୍ରମ୍ପ କ୍ୟୁବାକୁ ଏକ ‘ବିଫଳ ରାଷ୍ଟ୍ର’ ବୋଲି କହିବା ସହ ସେଠାକାର ସରକାର ପତନ ଦ୍ୱାରଦେଶରେ ଥିବା ଦାବି କରିଛନ୍ତି। ଆମେରିକାର ଏହି ପ୍ରବଳ ଚାପ ମଧ୍ୟରେ କ୍ୟୁବା ରାଷ୍ଟ୍ରପତି ମିଗୁଏଲ ଡିଆଜ୍-କାନେଲ୍ ଯୁଦ୍ଧକୁ ଏଡାଇବା ପାଇଁ ୱାସିଂଟନ୍ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି। କିନ୍ତୁ ଆମେରିକାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ୍ୟୁବା ଶାସନରେ ପରିବର୍ତ୍ତନ ଆଣିବା। ରିପୋର୍ଟ ଅନୁଯାୟୀ, ଆମେରିକା ଚାହୁଁଛି କ୍ୟୁବା ରାଷ୍ଟ୍ରପତି କ୍ଷମତାରୁ ହଟନ୍ତୁ। ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଇରାନ ମାମଲା ଶେଷ ହେବା ମାତ୍ରେ ସମ୍ପୂର୍ଣ୍ଣ ଧ୍ୟାନ କ୍ୟୁବା ଆଡ଼କୁ ଦିଆଯିବ। କ୍ୟୁବାର ସାମ୍ପ୍ରତିକ ଆର୍ଥିକ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି, ଯାହାର ସୁଯୋଗ ଆମେରିକା ନେବାକୁ ଚେଷ୍ଟା କରୁଛି।