ସେ କେଉଁ ରାଜାଙ୍କ ସେନାପତି ନଥିଲେ କି କେଉଁ ପରାକ୍ରମୀ ଯୋଦ୍ଧା ମଧ୍ୟ ନଥିଲେ । ସେ ଜଣେ ମାଟି ମାକୁ ଭଲ ପାଉଥିବା ସାଧାରଣ ପିଲାଟିଏ । ବୟସ ମାତ୍ର ୧୨ ବର୍ଷ । ଅନ୍ଧାରୀ ମୂଲକର ଅମୁହାଁ ଦେଉଳ ଭିତରେ ସେ ଥିଲେ ଲକ୍ଷ ଲକ୍ଷ ଦୀପ ଶିଖାର ଉତ୍ସ । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବ, ସର୍ବ କନିଷ୍ଠ ସ୍ୱାଧିନତା ସଂଗ୍ରାମୀ ବାଜି ରାଉତ। ବୀରତ୍ୱ ଓ ସାହସିକତା ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ ମନରେ ଘର କରିପାରିଛନ୍ତି ସେ । ୧୯୨୬ ମସିହା ଅକ୍ଟୋବର ୫ ତାରିଖ ଦିନ ଢେଙ୍କାନାଳ ଜିଲ୍ଲା ନିଳକଣ୍ଠପୁରରେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନୁ ବାପାଙ୍କୁ ହରାଇଥିଲେ। ମା ’ପର ଘରେ କାମ କରି ତାଙ୍କୁ ପାଳୁଥିଲେ। ସେତେବେଳ ଢେଙ୍କାନାଳ ଥିଲା ଏକ ଗଡଜାତ ରାଜ୍ୟ। ୧୯୩୮ ଅକ୍ଟୋବର ୧୯ରେ, ମାତ୍ର ବାର ବର୍ଷ ବୟସରେ, ବାଜି ରାଉତ ତାଙ୍କ ଗାଁରେ ଭାରତ ଛାଡ ଆନ୍ଦୋଳନରେ ବାନର ସେନା ଭାବେ ଭାଗ ନେଇଥିଲେ।
୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ୱେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ। ଗୋରା ସରକାରଙ୍କ ଠାରୁ ପ୍ରଜାମଣ୍ଡଳକୁ ଦୁରେଇ ରଖିବା ପାଇଁ ସେଦିନ ନଦୀ ଘାଟରେ ଜଗି ବସିଥିଲା ସେହି କୋମଳ ବାଳକଟି । ଗୋରା ସରକାରଙ୍କ ଆଦେଶ ସତ୍ତ୍ୱେ ମଧ୍ୟ ବାଜି ରାଉତ କୁଳରୁ ଡଙ୍ଗା ଫିଟାଇ ନଥିଲା । ଫଳରେ ଗୋରା ସାହେବଙ୍କ ଆଖିବୁଜା ଗୁଳି ଚାଳନାରେ ପ୍ରାଣ ହରାଇଥିଲେ ବାଜି ରାଉତ । ରକ୍ତରଞ୍ଜିତ ହୋଇଉଠିଥିଲା ବ୍ରହ୍ମଣୀ ତଟ । ସେବେଠୁ ଦେଶର ସେବା ପାଇଁ ଜୀବନ ଦେଇ ସ୍ବର୍ଣ୍ଣିମ ଅକ୍ଷରରେ ସବୁ ଦିନ ପାଇଁ ଚୀର ଅମର ହୋଇ ରହିଛନ୍ତି ବାଳୁତ ବୀର ସହିଦ ବାଜି ରାଉତ। ଆଉ ଆଜି ତାଙ୍କର ଜନ୍ମଜୟନ୍ତୀରେ ସେହି କୋମଳମତୀ ବାଳକଙ୍କୁ ଝୁରୁଛି ଖାଲି ରାଜ୍ୟ ନୁହେଁ ପୁରା ଦେଶ ।