ଅପୁତ୍ରିକ ସନ୍ତାନ ପ୍ରାପ୍ତି ପାଇଁ ଦ୍ୱିତୀୟା ଓଷା

ପିଲାମାନଙ୍କର ଶୁଭ ମନାସୀ ଏବଂ ଅପୁତ୍ରିକ ସନ୍ତାନ ପ୍ରାପ୍ତି ପାଇଁ ପାଳନ କରାଯାଇଥାଏ ଦ୍ୱିତୀୟା ଓଷା । ବିଶ୍ଵାସ ଅଛି ଏହି ଓଷା ପାଳନ କଲେ ପରିବାରର ମଙ୍ଗଳ ହୋଇଥାଏ । ତେବେ ଏହି ଓଷାରେ ବ୍ୟବହାର ହେଉଥିବା ପନିପରିବାକୁ ଘାଂଟ ଆକାରରେ ପ୍ରସ୍ତୁତ କରି ପରିବାର ସମେତ ସାହି ପଡାସାଙ୍କୁ ବଣ୍ଟା ଯାଇଥାଏ ।

ସମସ୍ତଙ୍କ ମଧ୍ୟରେ ଭାଇଚାରା ରଖିବା ସହିତ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାର ପରମ୍ପରା ହେଉଛି ଦ୍ଵିତୀୟା ଓଷା ।

ମହିଳା ମାନେ ଏକତ୍ରିତ ହୋଇ ଗୋଟିଏ ସ୍ଥାନରେ ପନିପରିବାକୁ ରଖି ପୂଜା କରିବା ପରେ ନିଜ ନିଜ ଘରେ ଘାଂଟ ପ୍ରସ୍ତୁତ କରିଥାନ୍ତି । ଏହି ପରମ୍ପରାକୁ ଉଜ୍ଜୀବିତ କରି ରଖିଛନ୍ତି ପାରାଦୀପ ପୋର୍ଟ ଲେଡିଜ କ୍ଲବର ସଦସ୍ୟାମାନେ । ନିଜ ଘରେ ପ୍ରସ୍ତୁତ କରି ଆଣିଥିବା ଘାଂଟ କୁ ପୋର୍ଟ କ୍ଲବର ସମ୍ମିଳନୀ କକ୍ଷରେ ସଜ୍ଜିତ କରି ରଖିବା ପରେ ବିଚାରକ ମାନେ ଏହାର ମାନ ପରଖିବା ସହିତ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ଚୟନ କରିବା ସହିତ ପୁରଷ୍କୃତ କରିଥିଲେ ।

ତେବେ ସମସ୍ତେ ଏକ ସ୍ଥାନରେ ଏହି ପ୍ରତିଯୋଗିତାରେ ଭାଗ ନେଇଥିବାରୁ ପାରାଦୀପ ଲେଡିଜ କ୍ଲବର ସଦସ୍ୟାମାନେ ଖୁସି ଜାହିର କରିଥିବା ବେଳେ ମୁଖ୍ୟ ଅତିଥି ଏଭଳି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ ।